ଗଣଶିକ୍ଷକଙ୍କୁ ମୁଖ୍ଯମନ୍ତ୍ରୀଙ୍କ ବଡ଼ ଉପହାର, ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ହେବେ ଗଣଶିକ୍ଷକ

1 min read

ଭୁବନେଶ୍ୱର: ରାଜ୍ୟର ଗଣଶିକ୍ଷକଙ୍କ ପାଇଁ ମୁଖ୍ଯମନ୍ତ୍ରୀଙ୍କ ବଡ଼ ଘୋଷଣା । OTET ପାସ କରିଥିବା ଗଣଶିକ୍ଷକ ମାନଙ୍କୁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡର ଭାବେ ନିୟମିତ କରାଯିବ। ଏହି ଐତିହାସିକ ନିଷ୍ପତ୍ତି ଦ୍ବାରା ରାଜ୍ୟର ୧ ହଜାର ୪୭୨  ଗଣଶିକ୍ଷକ ଉପକୃତ ହୋଇଛନ୍ତି । ସେହିପରି OTET ପାସ କରିନଥିବା ଗଣଶିକ୍ଷକଙ୍କ ମାସିକ ପାରିତୋଷିକ ବୃଦ୍ଧି କରିଛନ୍ତି ରାଜ୍ଯ ସରକାର । ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୧ ହଜାର ୧୨୧ ଜଣ ଗଣଶିକ୍ଷକ  ଉପକୃତ ହୋଇଛନ୍ତି।

ଏହାସହିତ ଯେଉଁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡରମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ମିଳୁ ନାହିଁ, ସେମାନଙ୍କ ମଧ୍ୟରୁ OTET ପାସ କରିଥିବା ଏକ୍ସ କ୍ୟାଡରଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରାଯିବ। ଏହାଦ୍ୱାରା ୯ ହଜାର ୫୨୦ ସହକାରୀ ଶିକ୍ଷକ ଉପକୃତ ହେବେ। ଏସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦ୍ବାରା ରାଜ୍ୟର ମୋଟ ୧୨ ହଜାର ୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ ।

ସୂଚନା ଅନୁଯାୟୀ, 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।