spot_img

Latest Posts

ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ; ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶିରେ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି କରାଯାଇଛି।

ସେହିପରି ଗୁରୁତର ଆହତ ଅର୍ଥାତ ସ୍ଥାୟୀ ଆହତଙ୍କ କ୍ଷେତ୍ରରେ ମଧ୍ୟ ସହାୟତା ପରିମାଣ ବୃଦ୍ଧି କରାଯାଇଛି । ୬୦ ପ୍ରତିଶତରୁ କମ୍ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୧ ଲକ୍ଷ ଟଙ୍କାରୁ ୧.୫୦ ଲକ୍ଷ ଟଙ୍କା ଏବଂ ୬୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୨.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସାମାନ୍ୟ ଆହତଙ୍କ କ୍ଷେତ୍ରରେ ପୂର୍ବରୁ ସହାୟତା ପରିମାଣ ୫ ହଜାର ଟଙ୍କା ଥିଲା।

ବର୍ତ୍ତମାନ ଏକ ସପ୍ତାହରୁ ଅଧିକ ସମୟ ଧରି ଚିକିତ୍ସାର ଆବଶ୍ୟକତା ଥିଲେ, ସେ କ୍ଷେତ୍ରରେ ସରକାରୀ ହସ୍ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ଚିକିତ୍ସାର ସମୟ ଏକ ସପ୍ତାହରୁ କମ୍ ହେଲେ, ସରକାରୀ ହସ୍ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୫ ହଜାର ଟଙ୍କା ସହାୟତା ଦିଆଯିବ। ଗୋମହିଷାଦି ପ୍ରାଣୀଙ୍କ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ସହାୟତା ରାଶି ବୃଦ୍ଧି ପାଇଛି । ଗାଈ ବା ମଇଁଷିଙ୍କ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ପରିମାଣ ୩୭,୫୦୦ ଟଙ୍କା ଏବଂ ବଳଦର ମୃତ୍ୟୁ କ୍ଷେତ୍ରରେ ସହାୟତା ୩୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ଏହା ୫ ହଜାର ଟଙ୍କା ଥିଲା ।

ବାଛୁରୀ ମୃତ୍ୟୁ ପାଇଁ ସହାୟତା ପରିମାଣ ୨୫୦୦ ଟଙ୍କାରୁ ୫୦୦୦ ଟଙ୍କା, ଛେଳିମେଣ୍ଢାଙ୍କ ମୃତ୍ୟୁ କ୍ଷେତ୍ରରେ ୨୦୦୦ ଟଙ୍କାରୁ ୪୦୦୦ ଟଙ୍କା ଓ ମେଣ୍ଢା ଛୁଆ ମୃତ୍ୟୁ କ୍ଷେତ୍ରରେ ୭୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଫସଲ କ୍ଷୟକ୍ଷତି କ୍ଷେତ୍ରରେ ମଧ୍ୟ ସହାୟତା ପରିମାଣ ବଢିଛି । ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଫସଲ କ୍ଷତିରେ ସହାୟତା ପରିମାଣ ଏକର ପିଛା ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥକରୀ ଫସଲ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୧୨ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବଢିଛି ।

ସେହିପରି ଘର ଗୁଡିକର ଆଂଶିକ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୨୦୦୦ ଟଙ୍କରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଘର ସଂପୂର୍ଣ୍ଣ ଭାଙ୍ଗିଥିଲେ, ବିଜୁ ପକ୍କା ଘର କିମ୍ବା ସେହି ମୂଲ୍ୟର ଅର୍ଥ ସହିତ ଆହୁରି ୨୦ ହଜାର ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯିବ। ପୂର୍ବରୁ ଏହି ସହାୟତା ପରିମାଣ ୧୦,୦୦୦ ଟଙ୍କା ଥିଲା ।

ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି। ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହୋଇଥାଏ । ପ୍ରିୟଜନମାନଙ୍କୁ ହରାଇ ଗଭୀର ମାନସିକ ଚାପରେ ମଧ୍ୟ ରହିଥାନ୍ତି ପରିବାର । ତେଣୁ ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ପାଇଁ ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

Latest Posts

Don't Miss