ବଢିବ ଜୁନିଅର କଲେଜରେ ଯୁକ୍ତ ଦୁଇ ସିଟ୍, ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢିବ ଜୁନିଅର କଲେଜରେ ଯୁକ୍ତ ଦୁଇ ସିଟ୍ । ସିଟ ବୃଦ୍ଧି ପାଇବା ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ନିୟମ ମୁତାବକ ଯେଉଁ କଲେଜ୍ ଚାହିଁବେ ଆବେଦନ କରିପାରିବେ । ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିପାରିବେ । ଏବଂ ଏଥିପାଇଁ ସାମ୍ସରେ ଅନ୍‌ଲାଇନ୍ ଜରିଆରେ  ଆବେଦନ କରିହେବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ସରକାର ।

ଚଳିତବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷାକୁ ସରକାର କୋଭିଡ ଗାଇଡଲାଇନ ଭିତ୍ତିରେ ଫଳ ପ୍ରକାଶ କରିଛନ୍ତି  । ନବମ ଏବଂ ଦଶମ ଶ୍ରେଣିରେ ଦେଇଥିବା ପ୍ରି ପରୀକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ମାର୍କ ସ୍ଥିର କରାଯାଇଥିଲା  । ଚଳିତବର୍ଷ ମଧ୍ୟ ଦଶମ ଶ୍ରେଣିରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ  ପାସ ହୋଇଛନ୍ତି  । ମାଧ୍ୟମିକ ଶିକ୍ଷା ପରିଷଦର ରିପୋର୍ଟ ମୁତାବକ ଚଳିତବର୍ଷ ଦଶମ ବୋର୍ଡରେ ୬ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେପଟେ ରାଜ୍ୟର ଯୁକ୍ତ ଦୁଇ ସିଟ୍ ସଂଖ୍ୟା  ୪ ଲକ୍ଷ ୪୩ ହଜାର ୩୫୪ ରହିଛି।

ତେଣୁ ଏଭଳି ସ୍ଥିତିରେ ଆଡମିଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା  । ବଳକା ଛାତ୍ରଛାତ୍ରୀ କିପରି ପାଠ ପଢିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା  । କିନ୍ତୁ ଏହି ପ୍ରସଙ୍ଗରେ  ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ବିବୃତ୍ତି ରଖିଥିଲେ  । ଏବଂ ପ୍ରବେଶିକା ପରୀକ୍ଷାର ଯୋଗ୍ୟତା ଭିତ୍ତିରେ ଛାତ୍ରଛାତ୍ରୀ ଆଡମିଶନ କରିବା ନେଇ ସ୍ପଷ୍ଟ କରିଥିଲେ  । ପରବର୍ତ୍ତୀ ସମୟରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଥିଲେ  । ଶେଷରେ ଆଜି ସରକାର ଯୁକ୍ତ ଦୁଇ କଲେଜରେ ସିଟ ବୃଦ୍ଧି ନେଇ ନିର୍ଦ୍ଦେଶ ଦେଇଛନ୍ତି  ।

Leave a Reply