କେନ୍ଦ୍ର ଅଧୀନସ୍ଥ ସ୍କୁଲରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ ବ୍ୟବସ୍ଥା ପରେ ବଢିଲା ରାଜ୍ୟ ସରକାରଙ୍କ ଅଡୁଆ
1 min readଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନିୟମ କାର୍ଯ୍ୟକାରୀ କରିବା ନେଇ ଦ୍ବନ୍ଦ୍ବରେ ରାଜ୍ୟ ସରକାର । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସ୍କୁଲରେ ଫେଲ୍ ବ୍ୟବସ୍ଥା ଫେରିବା ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ୟ ସ୍କୁଲ କ’ଣ କରିବେ ? ସେ ନେଇ ଏଯାଏଁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ପାରୁନାହାନ୍ତି । କାରଣ କେନ୍ଦ୍ର ସରକାରଙ୍କ ସ୍କୁଲରେ ଯଦି ପିଲାଙ୍କ ପାଇଁ ଫେଲ୍ ବ୍ୟବସ୍ଥା ଲାଗୁ ହେବ ସେମାନଙ୍କ ବର୍ଷେ ନଷ୍ଟ ହେବ । ସେହି ସମାନ ପାଠ ପଢୁଥିବା ରାଜ୍ୟ ସରକାର ଅଧୀନରେ ଥିବା ସ୍କୁଲର ପିଲା କ’ଣ କରିବେ, ସେ ନେଇ ସସପେନ୍ସ ହଟୁନି । ସେପଟେ ସରକାର ପର୍ଯ୍ୟାପ୍ତ ସୁବିଧା ନଦେଇ ଶିକ୍ଷା ଅଧିକାର ଆଇନକୁ ଅବମାନନା କରି ପିଲାଙ୍କୁ ଫେଲ କରିବାକୁ ନିନ୍ଦା କରିଛି ଓଡ଼ିଶା ଅଭିଭାବକ ମହାସଂଘ ।
ରାଜ୍ୟ ସରକାରଙ୍କୁ ଟେନସନରେ ପକାଇଛି କେନ୍ଦ୍ର ସରକାରଙ୍କ ନିୟମ । ହେଲେ ଏପରି ନିୟମ ସିବିଏସଇ, ସରକାରୀ ବୋର୍ଡ ଓ ଆଇସିଏସଇରେ କେମିତି ଲାଗୁ କରାଯିବ, ସେ ନେଇ ଦ୍ବନ୍ଦ୍ବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କେନ୍ଦ୍ର ସରକାରଙ୍କ ସ୍କୁଲରେ ବି ସିବିଏସଇ ପାଠ୍ୟକ୍ରମ ରହିଛି । ଯଦି ସେଠି ପିଲା ଫେଲ୍ ହୋଇ ଗୋଟିଏ ଶ୍ରେଣୀରେ ପୁଣି ପଢିବେ ଅନ୍ୟ ସିବିଏସଇ ସ୍କୁଲଗୁଡ଼ିକରେ ବିବାଦ ବଢିବ । କାରଣ କୌଣସି ପିଲା କି ଅଭିଭାବକ ବର୍ଷେ ନଷ୍ଟ କରିବାକୁ ଚାହିଁବେ ନାହିଁ । ତେବେ ଯଦି କେବଳ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସ୍କୁଲରେ ଫେଲ୍ ବ୍ୟବସ୍ଥା ରହିବ, ଅନ୍ୟ ସ୍କୁଲମାନଙ୍କ ସହ ଅସଙ୍ଗତି ରହିବ । ଏପରି ସ୍ଥିତିରେ କୌଣସି ନିଷ୍ପତ୍ତି ନେବା ସ୍ଥିତିରେ ନାହାନ୍ତି ରାଜ୍ୟ ସରକାର । ଫେଲ୍ ସପକ୍ଷରେ ରାଜ୍ୟ ସରକାର ଅଛନ୍ତି, ହେଲେ ଏହାକୁ ଲାଗୁ କରିବା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯେଉଁଥି ପାଇଁ ଏଯାଏଁ କେବଳ ତର୍ଜମା ଓ ଆଲୋଚନାରେ ରାଜ୍ୟ ସରକାର ସୀମିତ ରହିଛି ।
ସେପଟେ ଫେଲ୍ ବ୍ୟବସ୍ଥା ଲାଗୁ କରି ପିଲାମାନଙ୍କ ଶିକ୍ଷା ଅଧିକାରକୁ ରାଜ୍ୟ ସରକାର କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଂଘ । ଏହାଦ୍ଵାରା ଡ୍ରପ୍ ଆଉଟ୍ ସଂଖ୍ୟା ବଢିବ l ଶିଶୁ ଶ୍ରମିକ ଓ କନ୍ୟା ଶିକ୍ଷା କ୍ଷେତ୍ରରେ ନିଷ୍ପତ୍ତି ଖରାପ ପ୍ରଭାବ ପକାଇବ । ଫେଲ ହେବାରେ ସମ୍ପୂର୍ଣ୍ଣ ଦୋଷ କେବଳ ପିଲାର ନୁହେଁ । ଶିକ୍ଷା ଗ୍ରହଣ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ପ୍ରଥମେ ଦାୟୀ । କାରଣ ସ୍କୁଲରେ ଆବଶ୍ୟକ ଶିକ୍ଷକ, ଶିକ୍ଷାଦାନ ପ୍ରଣାଳୀ, ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକ ଭିତ୍ତିଭୂମି ସରକାର ଯୋଗାଇ ନାହାନ୍ତି ।
ଫେଲ୍ ଉଚ୍ଛେଦ ସହ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ଯୋଗୁଁ ପିଲାମାନଙ୍କ ସ୍କୁଲ ପ୍ରତି ଆଗ୍ରହ ବଢିଛି । ଏବେ ଦେଖିବାକୁ ମିଳିଲାଣି ଯେ ଦରଦାମ ବୃଦ୍ଧି ଯୋଗୁଁ ଅନେକ ସ୍କୁଲରେ ଠିକ୍ ଭାବେ ମଧ୍ୟାନ୍ନ ଭୋଜନ ମିଳୁନି । ଯଦି ପୁଣି ଫେଲ୍ ବ୍ୟବସ୍ଥା ଫେରିବ, ଶିକ୍ଷା ଗ୍ରହଣରୁ ପିଲାମାନେ ମୁହଁ ଫେରାଇବା ଆଶଂକା ରହିଛି ।