ରାଜ୍ୟ ସରକାରଙ୍କ ଘୋଷଣା: ‘ୟାସ’ ପ୍ରଭାବିତ ଚାଷୀଙ୍କୁ ମିଳିବ ସହାୟତା

1 min read

ଭୁବନେଶ୍ୱର: ବାତ୍ୟା ୟାସ ପାଇଁ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ ସହାୟତା  ।  ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ । ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା ୧୩ ହଜାର ୫୦୦ ଟଙ୍କା ଏବଂ ସମସ୍ତ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର ପିଚ୍ଛା ୧୮ ହଜାର ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ । ଆମ୍ବ, କାଜୁ, ନଡିଆ, କେତକୀ, ପାନ ଆଦି ଫସଲ ସବୁଦିନିଆ ଫସଲ ଶ୍ରେଣୀରେ ଅନ୍ତର୍ଭୁକ୍ତ ।

କେବଳ ପ୍ରକୃତ ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ । ସବୁ ଦିନିଆ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିବ । ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ୨୦୨୧ ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ ପ୍ରତିଶତ ରିହାତି ସହିତ ଦେଢ ଲକ୍ଷ କ୍ବିଣ୍ଟାଲ ଉନ୍ନତ ମାନର ଧାନ ବିହନ ଯୋଗାଇ ଦିଆଯିବ । ଏହି ରିହାତି ସିଧାସଳଖ DBT ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଯିବ । ଖରିଫ ଋତୁରେ ଅଧିକ ଅମଳ ପାଇଁ ଏକ ଲକ୍ଷ ଏକର ଜମି ପାଇଁ ୧ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ । ଖରିଫ ଋତୁରେ ଧାନ, ଝୋଟ ଓ ଡାଲି ଜାତୀୟ ଫସଲ ପାଇଁ ପ୍ରଭାବିତ ଅଞ୍ଚଳରେ ୨୫ ହଜାର ଏକର ଜମିରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।

ଧାଡି ବୁଣା ଓ ଧାଡି ରୁଆ ଆଦି ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରୁଥିବା ଚାଷୀଙ୍କୁ ୩୬ ହଜାର ଏକର ଜମି ପାଇଁ ହେକ୍ଟର ପିଚ୍ଛା ୧୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ୬୦ ହଜାର ହେକ୍ଟର ଜମିରେ ରୋଗ ପୋକ ମାରିବା ପାଇଁ ଆବଶ୍ୟକତା ଭିତ୍ତିରେ ଇନ୍‌ପୁଟ ସବ୍‌ସିଡି ଚାଷୀ ମାନଙ୍କ ଆକାଉଣ୍ଟକୁ ଦିଆଯିବ । ଉନ୍ନତମାନର କୃଷି ଯନ୍ତ୍ରପାତି କିଣିବାପାଇଁ ପ୍ରଭାବିତ ଜିଲ୍ଲାରେ ଚାଷୀ ମାନଙ୍କୁ ୨୦ କୋଟି ଟଙ୍କାର ରିହାତି DBT ଜରିଆରେ ଦିଆଯିବ । ପ୍ରଭାବିତ ଅଞ୍ଚଳରେ ଚାଷୀ ମାନଙ୍କୁ ରିହାତି ଦରରେ ୨୦୦୦ ପମ୍ପସେଟ୍‌ ଓ ୩୦୦୦ ସ୍ପ୍ରେୟର ଯୋଗାଇ ଦିଆଯିବ । ପମ୍ପସେଟ୍‌ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫ ହଜାର ଟଙ୍କା, ପାୱାର ସ୍ପ୍ରେୟର ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩୮୦୦ ଟଙ୍କା ଓ ହାତରେ ଚାଲୁଥିବା ସ୍ପ୍ରେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ଦିଆଯିବ । ପାନବରଜ ଚାଷ କରୁଥିବା ୧୨୫ ଜଣ ଚାଷୀଙ୍କୁ ଜଣ ପିଚ୍ଛା ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି DBT ଜରିଆରେ ଦିଆଯିବ ।

୧୦ ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ବାଡିରେ ପରିବା ଚାଷ ପାଇଁ ଉନ୍ନତ ମାନର ଚାରା ୧୧୫ ଟଙ୍କାରେ ଯୋଗାଇ ଦିଆଯିବ । ବାତ୍ୟାରେ କ୍ଷତିଗ୍ରସ୍ତ ୫୦ଟି ଛତୁ ଚାଷ ୟୁନିଟ୍‌କୁ ୪୦ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯିବ । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଛତୁ ଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ । କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ମାନଙ୍କୁ କିଟ୍‌ ପିଚ୍ଛା ୧୧୦ ଟଙ୍କାର ୧୦ ହଜାର ପରିବା ମିନି କିଟ୍‌ ମାଗଣାରେ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନାରେ ବୀମାଭୁକ୍ତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଦାବୀ ଯେପରି ସମାଧାନ ହୋଇପାରିବ, ସେଥିପାଇଁ ଫସଲ କଟା ରିପୋର୍ଟ ତ୍ବରାନ୍ବିତ ଭାବରେ ପ୍ରସ୍ତତ କରିବା ପାଇଁ ପଦକ୍ଷେପ ନିଆଯିବ । କ୍ଷତିଗ୍ରସ୍ତ ଅଞ୍ଚଳର ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଥିବା ଚାଷୀମାନଙ୍କର ସ୍ବଳ୍ପ ମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ ।

Leave a Reply