ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର: ଗ୍ରୀଷ୍ମର ଆଗମନ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟୁଛି । ପାଗ ମୁଖ୍ୟତଃ ଶୁଖିଲା ରହୁଥିବା ବେଳେ ତାପମାତ୍ରା ଅଧିକ ରହୁଛି । ଜଙ୍ଗଲ ନିଆଁ ଆୟତ୍ତ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ସହ ପ୍ରତିଷେଧକ ବ୍ୟବସ୍ଥା ନେଇ ନେଇଛି ବନ ବିଭାଗ । କର୍ମଚାରୀ ମଧ୍ୟ ୨୪ ଘଣ୍ଟା ଆଲର୍ଟ ମୋଡରେ ଅଛନ୍ତି ଏବଂ ରାଜ୍ୟସ୍ତରରେ ସ୍ଥିତିର ମନିଟରିଂ କରାଯାଉଛି ।
ଗ୍ରାଉଣ୍ଡରେ କାର୍ଯ୍ୟ କରୁଥିବା ବନ କର୍ମଚାରୀଙ୍କ ଛୁଟି ବାତିଲ୍ କରି ଦିଆଯାଇଛି । କୌଣସି ବି କର୍ମଚାରୀ ବିନା ଅନୁମତିରେ ଛୁଟିରେ ରହି ପାରିବେ ନାହିଁ । ଛୁଟି ନେବା ଲାଗି ଡିଏଫଓ ରାଙ୍କ କିମ୍ବା ତା’ଠାରୁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ । ଛୁଟି ନେଇ ପିସିସିଏଙ୍କୁ ଅବଗତ କରାଯିବ । ନିର୍ଦ୍ଦେଶନାମାର ଅନୁପାଳନ ନକଲେ ଏହାକୁ ଗୁରୁତର ସହ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କହିଛି ।