ସରକାର କ୍ଷୀର ପ୍ୟାକେଟ ରଙ୍ଗ ବଦଳା ରାଜନୀତିରେ ବ୍ୟସ୍ତ, ଏପଟେ ମାଟିରେ ମିଶିବାକୁ ବସିଲାଣି ପୁମୂଲ ପ୍ଲାଣ୍ଟ

ନିମାପଡ଼ା: ରାଜ୍ୟର ସରକାର ବଦଳିବା ପରେ ବଦଳୁଛି ରଙ୍ଗ । ମୋହନ ସରକାର ରଙ୍ଗ ବଦଳା ରାଜନୀତିରେ ବ୍ୟସ୍ତ । କ୍ଷୀର ପ୍ୟାକେଟ ବି ଏଥିରୁ ପଡିନି ବାଦ । କେବଳ କ୍ଷୀର କ୍ୟାପେଟର ରଙ୍ଗ ବଦଳାଇ ନାହାନ୍ତି । ଖାଉଟିଙ୍କ ପେଟକୁ ଲାତ ମାରି ଦର ବି ବଢ଼ାଇଛନ୍ତି । ହେଲେ ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଅସ୍ତିତ୍ବ ହରାଇବାକୁ ବସିଥିଲେ ବି ମୋହନ ସରକାରଙ୍କ ନାହିଁ ନିଘା । ଦୀର୍ଘ ଦିନ ହେବ ଚାଷୀଙ୍କଠାରୁ ବିଶୁଦ୍ଧ ଦୁଗ୍ଧ କ୍ରୟ କରି ସେଥିରୁ ବିଶୁଦ୍ଧ ସାମଗ୍ରୀ ତିଆରି କରି ବେଶ ଲାଭବାନ ହେଉଥିଲା ସଂସ୍ଥା । ହେଲେ ଏବେ ଯନ୍ତ୍ରାଂଶ ଖରାପ ହେବା ପରଠାରୁ ଭୂତକୋଠି ପାଲଟିବାକୁ ବସିଛି ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଛି ପୁମୂଲ ପ୍ଲାଣ୍ଟ । ୧୯୯୨ ମସିହାରେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ହଜାର ହଜାର ଚାଷୀଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଆଜି ଜରାଜୀର୍ଣ୍ଣ ପ୍ରାୟ । ପ୍ଲାଣ୍ଟ ଓ ଅଫିସ ଘର ଛାତରୁ ପ୍ଲାଷ୍ଟର ଖସିବା ସହିତ ସମସ୍ତ ଯନ୍ତାଂଶ ନଷ୍ଟ ହୋଇଗଲାଣି । ପ୍ରତି ମୁହୂର୍ତ୍ତରେ ବିପଦ ଆଶଙ୍କାରେ ରହି କର୍ମଚାରୀମାନେ କାମ କରୁଥିବା ବେଳେ ପ୍ଲାଣ୍ଟର ସ୍ଥାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପ୍ଲାଣ୍ଟର ପ୍ରତିଷ୍ଠା ସମୟରେ ଏଠାକୁ ପ୍ରତିଦିନ ପ୍ରାୟ ୮୫ ହଜାର ଲିଟର କ୍ଷୀର ଆସୁଥିଲା । କ୍ଷୀରକୁ ଶୀତଳୀକରଣ କରାଯାଇ ସେଥିରୁ ଘିଅ, ଦହି, ଛେନା ଓ ଅନ୍ଯାନ୍ଯ ସାମଗ୍ରୀ ତିଆରି କରାଯାଉଥିଲା । ହେଲେ ଏବେ ଯନ୍ତ୍ରାଂଶ ଖରାପ ହୋଇଯିବାରୁ ଏଠାକୁ ପ୍ରତ୍ଯେକ ଦିନ ୩୦ ହଜାର ଲିଟର କ୍ଷୀର ଆସୁଥିବା ବେଳେ ଶୀତଳୀକରଣ ପାଇଁ କଟକ ତ୍ରିଶୁଳିଆ ପ୍ଲାଣ୍ଟକୁ ପଠାଯାଉଛି । ଏଠାରେ କାମ କରୁଥିବା ୮୨ରୁ ଅଧିକ କର୍ମଚାରୀ ଠିକ ସମୟରେ ବେତନ ମଧ୍ୟ ପାଉ ନଥିବା ଅଭିଯୋଗ ହୋଇଛି । ଫଳରେ ପ୍ରତିଷ୍ଠିତ ପୂମୁଲ ସଂସ୍ଥା ଦିନକୁ ଦିନ ତଳକୁ ଖସିବା ସହିତ ବିଭିନ୍ନ ସୋସାଇଟ ଦ୍ଵାରା ଜଡ଼ିତ ଥିବାରୁ ସମସ୍ତ ଦୁଗ୍ଧ ଚାଷୀ ହତାଶ ହୋଇପଡିଛନ୍ତି ।