ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ ଆଗେଇଲେ ଓଡ଼ିଶା ସରକାର, ପ୍ରତିଷ୍ଠା ହେବେ ୫ଟି ବଡ଼ ଶିଳ୍ପ
ଭୁବନେଶ୍ୱର: ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ ଆଗେଇଲେ ରାଜ୍ୟସରକାର । ରାଜ୍ୟରେ ପ୍ରତିଷ୍ଠା ହେବେ ଆଉ ୫ଟି ବଡ଼ ଶିଳ୍ପ । ଏଥିପାଇଁ ରାଜ୍ୟରେ ୧ ଲକ୍ଷ ୪୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ଯେଉଁଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୨୬ ହଜାର ୯୫୯ ଜଣ ନିଯୁକ୍ତି ପାଇବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ଏସବୁ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ।
ଭୂଷଣ ପାଓ୍ବାର ଓ ଷ୍ଟିଲ ପ୍ଲାଣ୍ଟ ଲିମିଟେଡ୍ ଇସ୍ପାତ ଉତ୍ପାଦନକୁ ୫ ଏମ୍ଟିପିଏରୁ ୧୫ ଏମ୍ଟିପିଏ ସଂପ୍ରାସାରଣ କରିବ । ସେହିପରି ଯାଜପୁର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ ଲିମିଟେଡ୍ ଇସ୍ପାଦ ଉତ୍ପାଦନ ୮ ଏମ୍ଟିପିଏ, ହଟ୍ ରୋଲ୍ଡ କଏଲ୍ ୭ ଏମ୍ଟିପିଏ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍, ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟ୍ ଲିମିଟେଡ୍ ସଂପ୍ରସାରଣ ପାଇଁ ସରକାରଙ୍କୁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ଗତ ଆର୍ଥିକ ବର୍ଷରେ କରୋନା ଜାରି ଥିବାବେଳେ ରାଜ୍ୟ ସରକାରଙ୍କ ଉତ୍ତମ ମାନର ଇଜ୍ ଅଫ୍ ଡୁଇଙ୍ଗ ଯୋଗୁ ୨ଲକ୍ଷ ୯୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମିଳିଥିଲା । ଚଳିତ ବର୍ଷ ବି କରୋନା ମହାମାରୀ ଜାରି ଥିବା ସତ୍ତ୍ବେ ବଡ଼ ବଡ଼ କମ୍ପାନୀମାନେ ରାଜ୍ୟ ସରକାରଙ୍କ ଶିଳ୍ପନୀତି ପ୍ରତି ପୁଣି ଆସ୍ଥା ପ୍ରକଟ କରିଛନ୍ତି ।