ରାଜ୍ଯପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

1 min read

ଭୁବନେଶ୍ୱର : ରାଜ୍ଯପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଗତ ଜୁଲାଇ ୮ତାରିଖରେ ମୌଖିକ ଅବଗତ କରି ନ୍ୟାୟ ପାଇଁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏନେଇ ସେ ଗତ ଜୁଲାଇ ୧୦ରେ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ନ୍ୟାୟ ପାଇବା ପାଇଁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସେ ଆଇନଗତ ପରାମର୍ଶ ଲୋଡ଼ୁଥିବା ମଧ୍ୟ ସୂଚନା ଦେଇଛନ୍ତି ପ୍ରଧାନ। ଶ୍ରୀ ପ୍ରଧାନ ଏବେ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତ ପାଇଛନ୍ତି ଓ ଡେପୁଟେସନରେ ରାଜଭବନର ହାଉସହୋଲଡ ସେକ୍ସନରେ ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ଭାବେ କାର୍ଯ୍ୟରତ ଅଛନ୍ତି । ଅଭିଯୋଗ ଅନୁସାରେ- ପୁରୀ ରାଜଭବନରେ ଜୁଲାଇ ୭ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୭ ଓ ୮ ତାରିଖ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କର ରାଜଭବନ ରହଣୀର ପ୍ରସ୍ତୁତି ତଦାରଖ ପାଇଁ ସେ ୫ତାରିଖରୁ ପୁରୀରେ ରହିଥିଲେ । ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପାଦନ ହୋଇଥିଲା । କିନ୍ତୁ ସେହି ରାତି ପ୍ରାୟ ୧୧ଟା ୪୫ମିନିଟରେ ସେ ରାଜଭବନସ୍ଥିତ ଅଫିସ ରୁମରେ ବସିଥିବାବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ । ରାଜଭବନର ସୁଇଟ ନମ୍ବର-୪ରେ ରହୁଥିବା ଲଳିତଙ୍କୁ ଭେଟିବାକୁ ସେ ଯାଇଥିଲେ କିନ୍ତୁ ତାଙ୍କୁ ଦେଖୁଦେଖୁ ଲଳିତ ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଅଶାଳୀନ ଭାଷାରେ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ । ତାଙ୍କର ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଲଳିତ ତାଙ୍କୁ ମାଡମାରିବା ସହ ହତ୍ୟା ଧମକ ଦେଇଥିବା କହିଥିବା ନେଇ ଅଭିଯୋଗ ହୋଇଛି।

ଏସମସ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ ତାଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ପ୍ରଧାନ ଦାବି କରିଛନ୍ତି । ଏହି ଘଟଣା ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି। ସେପଟେ ଏହି ଘଟଣାରେ କର୍ତ୍ତବ୍ୟରତ ଅଫିସରଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ମୁଖ୍ଯମନ୍ତ୍ରୀଙ୍କ ନିକଟରେ ଦାବି କରିଛି ଓଡ଼ିଶା ସଚିବାଳୟ ସେବା ସଂଘ। ତେଣେ ଏହି ଘଟଣାକୁ ନେଇ କଟାକ୍ଷ କରିଛନ୍ତି ସାମ୍ବାଦିକ ରବିଶ କୁମାର। ସେ କହିଛନ୍ତି- ରାଜଭବନରେ ଏଣିକି ରାଜ୍ଯପାଳଙ୍କ ପରିବାରର ସଦସ୍ଯଙ୍କ ଲାଗି ଲକଜରି କାର୍ କିଣି ରଖାଯାଉ।