ହାତ ଲଗାନ୍ତୁ କିମ୍ବା ନଲଗାନ୍ତୁ ଗଡ଼ିଚାଲିବ ନନ୍ଦିଘୋଷ : ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ଓଡ଼ିଶା ଗଣମାଧ୍ୟମ ଜଗତରେ ସୃଷ୍ଟି ହୋଇଛି ନୂଆ ଅଧ୍ୟାୟ। ୨୪ ଘଣ୍ଟିଆ ଫ୍ରି ଟୁ ଏୟାର ଟେଲିଭିଜନ୍ ଚ୍ୟାନେଲ୍ ନନ୍ଦିଘୋଷ ଟିଭିର ଲୋକାର୍ପଣ ସ୍ଥାନୀୟ ମେ ଫେୟାର କନଭେନସନରେ ଅନୁଷ୍ଠିତ ହୋଇଛି। FIRST-FAST ଓ FACTକୁ ଗୁରୁତ୍ୱ ଦେଉଥିବା ଏହି ଚ୍ୟାନେଲ ସାଧାରଣ ଲୋକଙ୍କ ସ୍ୱର ହେଉ ବୋଲି ସମସ୍ତେ ମତବ୍ୟକ୍ତ କହିଥିଲେ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକୁ କେହି ହାତ ଲଗାନ୍ତୁ କିମ୍ବା ନଲଗାନ୍ତୁ ଏହା ଗଡ଼ି ଚାଲିବ । ଗଣମାଧ୍ୟମ ବାସ୍ତବରେ ଲୋକଙ୍କର ସ୍ୱର ହେବା ଉଚିତ୍। ହୁଂକାରକୁ ଯିଏ ଓଙ୍କାରରେ ପରିଣତ କରିପାରିବ, ବଞ୍ଚିତ ଅବହେଳିତଙ୍କୁ ସଂଚିତ ସାର୍ଥ୍ୟବାନ୍ କରିବାରେ ସାହାଯ୍ୟ କରିବା ସେ ହିଁ ବାସ୍ତବ ଗଣମାଧ୍ୟମର ଧର୍ମ ନିଭାଇବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ।
ସେ ଆହୁରି କହିଥିଲେ ଯେ, ମାନସିକ ଅପେକ୍ଷା ଆମେ ଶାରିରିକ ପରିଶ୍ରମ ଅଧିକ କରୁଛନ୍ତି। ତେବେ ଏ ସବୁଠାରୁ ଅଧିକ ମାନବିକତା ଉପରେ ଗଣମାଧ୍ୟମ ଫୋକସ କରିବା ଦରକାର। ବାଧ୍ୟ ବାଧକତା କି ଚାପରେ ନୁହେଁ ବରଂ ସବୁ ଖବରକୁ ସମାନ ଢଙ୍ଗରେ ଦେଖିବା ହିଁ ଚ୍ୟାନେଲର ବଡ଼ ଧର୍ମ ହେବା ଉଚିତ ।
ସେହିପରି ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ନନ୍ଦିଘୋଷ ଟିଭିକୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଜନତା ଓ ସରକାରଙ୍କ ମଧ୍ୟରେ ଗଣମାଧ୍ୟମ ସେତୁ ସାଜିଛି । ନନ୍ଦିଘୋଷ ସେପରି ଏକ ଦୃଢ ସେତୁ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଗଣତନ୍ତ୍ରର କିଛି ସ୍ତମ୍ବ ଭୁଶୁଡ଼ି ପଡିଲାଣି, ଆଉ କିଛି ଭୁଶୁଡ଼ିବାକୁ ଯାଉଛି । ଚତୁର୍ଥ ସ୍ତମ୍ବକୁ ସବଳ କରିବାକୁ ନନ୍ଦିଘୋଷ ସହାୟକ ହେବ ବୋଲି କହିଥିଲେ କଂଗ୍ରେସ ନେତା ନରସିଂହ ମିଶ୍ର । ଅନ୍ୟପଟେ ନନ୍ଦିଘୋଷ ସାଧାରଣ ଜନତାଙ୍କ ପାଇଁ କାମ କରିବ ବୋଲି ପରାମର୍ଶ ଦେଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
ଲୋକାର୍ପଣ ଉତ୍ସବରେ ସ୍ୱାଗତ ଭାଷଣ ଉପସ୍ଥାପନ କରିବା ସହ ନନ୍ଦିଘୋଷ ଟିଭିର ଆଭିମୂଖ୍ୟ ସଂପର୍କରେ ସୂଚନା ଦେଇଥିଲେ ଚ୍ୟାନେଲର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜବର ସିଂହ ପନୱାର । ଚ୍ୟାନେଲର ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର ନିଜ ଅଭିଭାଷଣରେ କହିଥିଲେ ଯେ, ନନ୍ଦିଘୋଷ ଟିଭି ଅନ୍ୟ ଗଣମାଧ୍ୟମ ସହ ପ୍ରତିଦ୍ୱନ୍ଦିତା କରିବନି । TRP ଚକ୍କରରେ ପଥଭ୍ରଷ୍ଟ ହେବନି ନନ୍ଦିଘୋଷ ଟିଭି । ନିରପେକ୍ଷ ଓ ନିଡ଼ର ହୋଇ ସମସ୍ତ ଘଟଣାକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ଯଥାସମ୍ଭବ ଚେଷ୍ଟା କରିବ।
ଏହି ଲୋକାର୍ପଣ ସମାରୋହରେ ଓଡ଼ିଶାର କ୍ରୀଡା, ରାଜନୀତି, ଗଣମାଧ୍ୟମ, ସାମାଜିକ ଓ ଅର୍ଥନୀତି କ୍ଷେତ୍ରର ବହୁ ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇ ଲୋକାର୍ପଣ ଉତ୍ସବର ଗରିମା ମଣ୍ଡନ କରିଥିଲେ। ଭବ୍ୟ ସମାରୋହରେ ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ, ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ପ୍ରିୟଦର୍ଶୀ ମିଶ୍ର, ଭିନ୍ନକ୍ଷମ କମିଶନର ସୂଲଚନା ଦାସ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପୋଲିସ କମିଶନର ସୁଧାଂସୁ ଷଡ଼ଙ୍ଗୀ, ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।
ଶେଷରେ ମୁମ୍ବାଇରୁ ଆସିଥିବା କୁମାର ସତ୍ୟମ୍ ଗ୍ରୁପ୍ ପକ୍ଷରୁ ଗଜଲ୍ ପରିବେଷଣ କରାଯାଇଥିଲା। ନନ୍ଦିଘୋଷ ଟିଭି ଲୋକାର୍ପିତ ହେବା ସହ ବିଭିନ୍ନ ଡିଟିଏଚ୍ ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି । ବିଶେଷକରି ଟାଟା ସ୍କାଏ, ଡିସ୍ ଟିଭି, ଏୟାରଟେଲ୍, ଭିଡିଓକନ୍, ହାଥୱେ, ଅରଟେଲ୍, ଇଏମ୍ ଡିଜିଟାଲ, ସିଟି କେବୁଲ୍ ଆଦି ବିଭିନ୍ନ ପ୍ଲାଟଫର୍ମରେ ଉପଲବ୍ଧ ହେଉଥିବାରୁ ଦର୍ଶକ ଏହି ଚ୍ୟାନେଲକୁ ଦେଖିବାର ସୁବିଧା ପାଇବେ।