ମନ୍ତ୍ରିପରିଷଦ ବୈଠକରେ ମହାମାରୀ ଓ ବିପର୍ଯ୍ୟୟ ମୁକାବିଲା ନେଇ ସରକାରଙ୍କ ସଂକଳ୍ପ

1 min read

ଭୁବନେଶ୍ୱର: ମନ୍ତ୍ରିପରିଷଦ ବୈଠକରେ ମହାମାରୀ ଓ ବିପର୍ଯ୍ୟୟ ମୁକାବିଲା ନେଇ ସରକାର ସଂକଳ୍ପ ପାରିତ କରିଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଂପୃକ୍ତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । କୋଭିଡ-୧୯ ଆମ ସମସ୍ତଙ୍କ ପାଇଁ ଏକ ନୂଆ ବାସ୍ତବତା । ବାତ୍ୟା ଆସେ ଏବଂ ଯାଏ । କିନ୍ତୁ ଏହି ମହାମାରୀ ମାନବ ଜାତି ପାଇଁ ସଂକଟର ଦୁଇଟି ନୂଆ ଦିଗ ଆଣିଛି । ଗୋଟିଏ ଦିଗ ହେଉଛି, ଏହି ସଂକଟ କେତେବେଳେ ଆସିବ, କେତେବେଳେ ଯିବ, କେହି କହିପାରିବେ ନାହିଁ । ଦ୍ବିତୀୟଟି ହେଉଛି, ଏହି ସଂକଟଟି କେତେବେଳେ କି ପ୍ରକାର ରୂପ ନେବ, ତାହା ମଧ୍ୟ ଆକଳନ କରିବା ଅସମ୍ଭବ ।

ବର୍ତ୍ତମାନ ଆମ ପାଇଁ ସମୟ ଆସିଛି, ଆମକୁ ରାଜ୍ୟରେ ଜ୍ଞାନର ଏକ ବିସ୍ତୃତ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ, ଯାହାଦ୍ବାରା କି ଆମେ ସମସ୍ତେ ନିଜକୁ ଜଣେ ଜଣେ ଯୋଦ୍ଧା ଭାବରେ ଗଢିପାରିବା । ଅଜଣା ଅଶୁଣା ପରିସ୍ଥିତିର କିପରି ମୁକାବିଲା କରିବାକୁ ହେବ, ସେ ବିଷୟରେ ସବୁ ଲୋକଙ୍କୁ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ବର୍ତ୍ତମାନଠାରୁ ପ୍ରତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମହାମାରୀ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ପର୍ଯନ୍ତ ସବୁ ବିଷୟରେ ‌ଜ୍ଞାନ ଆହରଣ କରିବେ ଏବଂ ଏହା ସେମାନଙ୍କ ପାଠ୍ୟକ୍ରମର ଅଂଶବିଶେଷ ହେବ । ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ମୌଳିକ ଦିଗ ଉପରେ ପ୍ରତି ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ । ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାର ପରିଚାଳନା, ସରକାରୀ ଚାକିରି ଓ ନିଯୁକ୍ତି ପାଇଁ ଏକ ବାଧ୍ୟତାମୂଳକ ବିଷୟ ହେବ । ବିପର୍ଯ୍ୟୟ ସମୟରେ ଆମର ନିର୍ବାଚିତ ପ୍ରତିନିଧିଙ୍କର ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ।

ତେଣୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ସବୁ ନିର୍ବାଚିତ ପ୍ରତିନିଧି ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟରେ ତାଲିମ ନେବେ । ମିଶନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଓ ଅନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ଗୁଡିକୁ ମଧ୍ୟ ଏ ସଂପର୍କରେ ତାଲିମ ଦିଆଯିବ । ଏହି ଲକ୍ଷ୍ୟ ପୂରଣ ପାଇଁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ସଂକଳ୍ପ ପାରିତ କରୁଅଛି । ଏହା ଓଡିଶାକୁ ବିପର୍ଯ୍ୟୟ ପରିଚାଳନାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଗଢିତୋଳିବ । ଏ ସଂପର୍କରେ ସରକାରଙ୍କ ଲକ୍ଷ୍ୟ ହେଉଛି ଯେକୌଣସି ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ଓଡିଶାର ଘରେ ଘରେ ଯୋଦ୍ଧା ସୃଷ୍ଟି କରିବା । ଏହି ମିଶନକୁ ଆଗେଇ ନେଇ ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପ୍ରତିରୋଧୀ ରାଜ୍ୟ ଭାବରେ ଗଢିତୋଳିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ । ଭବିଷ୍ୟତରେ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ଏହା ହେବ ଆମର ସର୍ବ ବୃହତ ପ୍ରସ୍ତୁତି ବୋଲି ସଂକଳ୍ପ ନିଆଯାଇଛି  ।

Leave a Reply