ସରକାରଙ୍କ ବଡ଼ ଯୋଜନା, ଗୋଟିଏ ଛାତ ତଳେ ରହିବ ବିପର୍ଯ୍ୟୟ ମୁକାବିଲାର ସବୁ ବିଭାଗ
1 min read
ନନ୍ଦିଘୋଷ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରଙ୍କ ବଡ଼ ଯୋଜନା । ରାଜ୍ୟରେ ନିର୍ମାଣ ହେବ ବିପର୍ଯ୍ୟୟ ଭବନ । ଭୁବନେଶ୍ଵରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବେ ସରକାର । ଗୋଟିଏ ବିଲ୍ଡିଂରେ ରହିବ ଏସଆରସି, ଅଗ୍ନିଶମ, ପାଣିପାଗ, ODRAF, NDRF, ଜଙ୍ଗଲ ବିଭାଗର କାର୍ଯ୍ୟାଳୟ । ଏନେଇ କାମ ଆରମ୍ଭ ହୋଇଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଭୂସ୍ଖଳନ ପାଇଁ ସରକାର କରିବେ ମାଷ୍ଟର ପ୍ଲାନ୍ ।
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓଡିଶା ସାରା ବିଶ୍ବକୁ ବାଟ ଦେଖାଇଛି । ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରି ଉଦାହରଣ ସାଜିଛି ଓଡି଼ଶା । ଏହି ଧାରାକୁ ବଜାୟ ରଖିବା ଲାଗି ସରକାର ବଡ ଯୋଜନା କରିଛନ୍ତି । ସେଥିଲାଗି ରାଜ୍ୟରେ ନିର୍ମାଣ ହେବ ବିପର୍ଯ୍ୟୟ ଭବନ । ଗୋଟିଏ ଛାତ ତଳେ ଏସଆରସି, ଅଗ୍ନିଶମ, ପାଣିପାଗ, ODRAF, NDRF, ଜଙ୍ଗଲ ବିଭାଗର କାର୍ଯ୍ୟାଳୟ ରହିବ । ଫଳରେ ପ୍ରାକୃତିକ ବିପର୍ଯ୍ୟୟକୁ ସହଜରେ ମୁକାବିଲା କରିହେବ । ଏଥିପାଇଁ ୨ ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି । ମଲ୍ଟି ଷ୍ଟୋରି ଏବଂ ଭୂତଳ ବିଲ୍ଡିଙ୍ଗ ନିର୍ମାଣ ହେବ । ଏଥିଲାଗି ସଚିବାଳୟ ନିକଟରେ ଜମି ଚିହ୍ନଟ କରାଯାଇଛି । ବିଲ୍ଡିଂରେ ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବସ୍ଥା କରାଯିବ । କାର୍ଯ୍ୟାଳୟ ନିର୍ମାଣ ପାଇଁ ଲାଗିବ ୨ ବର୍ଷ ସମୟ । ବିପର୍ଯ୍ୟୟ ସମୟରେ କାମ କରୁଥିବା ସଂସ୍ଥା ଗୋଟିଏ ଛାତ ତଳେ ରହିବେ । ସବୁ ବିଭାଗ ନିଜ ଭିତରେ ସହଯୋଗ ରକ୍ଷା କରି କାମ କରିବେ । ସବୁ ଜିଲ୍ଲାକୁ ଏହି ଭବନରୁ ଯେମିତି ଯୋଡ଼ି ହେବ ସେ ନେଇ ବ୍ୟବସ୍ଥା କରାଯିବ । ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । କେନ୍ଦ୍ରକୁ ବିପର୍ଯ୍ୟୟ ମୁକାବିଲା ପାଇଁ ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ମାଗିଛି ରାଜ୍ୟ । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ହେଲେ ମଧ୍ୟ ଆଗକୁ ଆହୁରି କାମ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ଗଜପତି ଭୂସ୍ଖଳନ ପରେ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି । ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡକୁ ଚିହ୍ନଟ କରିବେ ରାଜ୍ୟ ସରକାର । ଭୂସ୍ଖଳନ ହୋଇ ଯେମିତି ପଥର ଖସି ଲୋକଙ୍କର ମୃତ୍ୟୁ ହେବ ନାହିଁ ତାହାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏହାସହ ବର୍ଷା ଯୋଗୁଁ ବୁଡି ଯାଉଥିବା ତଳିଆ ରୋଡ ଗୁଡ଼ିକୁ ଠାବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେମିତି ବର୍ଷା ଯୋଗୁଁ ରାସ୍ତା ବୁଡି ଯୋଗାଯୋଗ ବିଚ୍ଛିନ୍ନ ହେବ ନାହିଁ । ମାଲକାନଗିରି ଅଞ୍ଚଳରେ ଅଧିକ ତଳିଆ ରୋଡ଼ ଥିବାରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ତଳିଆ ରୋଡ଼ ଗୁଡ଼ିକୁ ଉଚ୍ଚ କରାଯିବ ।