ଜାଗାବାଡ଼ିର ପୁନଃମୂଲ୍ୟାୟନ କରିବେ ରାଜ୍ୟ ସରକାର, ବଢ଼ିବ ଜମି ଦର !

1 min read

ଭୁବନେଶ୍ବର: ରାଜ୍ୟରେ ଜାଗାବାଡ଼ିର ପୁନଃମୂଲ୍ୟାୟନ କରାଯିବ । ନୂତନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସ୍ଥିତି ଅନୁଧ୍ୟାନ କରିବା ଓ ସରକାରଙ୍କୁ ପ୍ରସ୍ତାବ ଦେବାକୁ ରାଜସ୍ବ ବିଭାଗ ଗଢିଛି ଉଚ୍ଚସ୍ତରୀୟ କମିଟି । ଜବରଦଖଲ ଉଚ୍ଛେଦକୁ ନେଇ ରାଜସ୍ବ ବିଭାଗର ନିଷ୍ପତ୍ତି ପରେ ଏବେ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ହୋଇଛି କମିଟି । ରାଜସ୍ବ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଟକ ସବ-ରେଜିଷ୍ଟ୍ରାର, ସମ୍ବଲପୁର, ବ୍ରହ୍ମପୁର ଡେପୁଟି ଆଇଜିଆର୍ ଓ ଆଇଜିଆର୍ ସଦସ୍ୟ ଅଛନ୍ତି । ଭୁବନେଶ୍ବର ଦେଶର ଦାମିକିଆ ସହର ତାଲିକାରେ ଆଗରେ ଥିବା ବେଳେ ଏବେ ପୁଣି ସରକାରଙ୍କ ପୁନଃମୂଲ୍ୟାୟନ ନିଷ୍ପତ୍ତି ଜମି ଦରକୁ ଆକାଶଛୁଆଁ କରିବ । ବେଞ୍ଚମାର୍କ ଭାଲ୍ଯୁଏସନ କରିବା ପୂର୍ବରୁ ସରକାର ଏଥିପାଇଁ ସ୍ପଷ୍ଟ ନୀତି ଆଣିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ପୁଣି ବଢିବ ଜମି ଦର ! ଭୁବନେଶ୍ବର ସମେତ ସାରା ରାଜ୍ୟରେ ସ୍ଥାବର ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ ଆଉ ଥରେ କରିବେ ସରକାର । ଦର ବଢାଇବା ପୂର୍ବରୁ ସ୍ଥିତି ଅନୁଧ୍ୟାନ ପାଇ ରାଜସ୍ବ ବିଭାଗ ଗଠନ କରିଛି ଉଚ୍ଚସ୍ତରୀୟ କମିଟି । ଭୁବନେଶ୍ବରରେ ଜମି ଦର ଉଚ୍ଚା ଥିବା ବେଳେ କାହା ସ୍ବାର୍ଥରେ ପୁଣି ଦର ବଢାଇବାକୁ ଚିନ୍ତା କରୁଛନ୍ତି ସରକାର ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଜମି ଦର ବଢିଲେ ସହରରେ ରହିବା ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ସ୍ବପ୍ନ ହୋଇଯିବ ବୋଲି  ଆଶଙ୍କା ପ୍ରକାଶ ପାଇଛି ।

ଜାଗାବାଡ଼ିର ପୁନଃମୂଲ୍ୟାୟନ ନିର୍ଦ୍ଧାରଣ କରିବାକୁ ରାଜସ୍ବ ବିଭାଗ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି । ଏଥିରେ ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଶଶଧର ବେହେରା ଅଧ୍ୟକ୍ଷ ଥିବା ବେଳେ ଅତିରିକ୍ତ ସଚିବ ଦିଗନ୍ତ ରାଉତରାୟ ସଦସ୍ଯ-ସଚିବ ଭାବେ କାମ କରିବେ । କମିଟିରେ ସଦସ୍ୟ ଭାବେ ଆଇଜିଆର ସୁବ୍ରତ ଶତପଥି, କଟକ ଡିଏସଆର୍ ଗୋପବନ୍ଧୁ ପରିଡ଼ା, ଦକ୍ଷିଣାଞ୍ଚଳ ଡେପୁଟି ଆଇଜିଆର୍ ଶ୍ରୀକାନ୍ତ କୁମାର ବେଉରା ଏବଂ ସମ୍ବଲପୁର ଡେପୁଟି ଆଇଜିଆର ଦେବରଞ୍ଜନ ମହାନ୍ତି ଅଛନ୍ତି । ଜମିର ଦର ପୁନଃ-ନିର୍ଦ୍ଧାରଣ ପୂର୍ବରୁ ସରକାର ସ୍ବତନ୍ତ୍ର ନୀତି ଆଣିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି ।

୨୦୧୦ରେ ଶେଷ ଥର ପାଇଁ ସରକାର ଜାଗାବାଡ଼ି ବା ସ୍ଥାବର ସମ୍ପତ୍ତି ବେଞ୍ଚମାର୍କ ଭାଲ୍ୟୁଏସନ କରିଥିଲେ । ସେହି ଅନୁସାରେ ରାଜ୍ୟ ସାରା ଜମି କିଣାବିକା ହେଉଛି । ପୁଣି ଥରେ ପୁନଃ ମୂଲ୍ୟାୟନ ହେଲେ ଜମି ଦର ବଢିବା ନିଶ୍ଚିତ । ଏହାଦ୍ବାରା ସରକାରଙ୍କୁ ଅଧିକ ରାଜସ୍ବ ମିଳିବ, ହେଲେ ସାଧାରଣ ଲୋକ ହଇରାଣ ହେବେ ।

ଭୁବନେଶ୍ବରର ପ୍ରମୁଖ ଜାଗାରେ ସରକାରୀ ମୂଲ୍ୟ ଏକର ପିଛା ୧୫ କୋଟି ଥିବା ବେଳେ ଅସଲରେ କିଣାବିକା ମୂଲ୍ୟ ପ୍ରାୟ ୫୦ କୋଟି ହେବ । ରାଜଧାନୀ ସମେତ ରାଜ୍ୟର ସବୁ ସହରରେ ସ୍ଥିତି ଏପରି ରହିଛି । ଏଭଳି ସ୍ଥିତିରେ ସରକାର ପୁଣି ଦର ବଢାଇବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଦରବୃଦ୍ଧି ସମୟରେ ଏହା ବୋଝ ଉପରେ ନଳିତା ବିଡ଼ା ଭଳି ହେବ ।