ରାଜ୍ୟ ସରକାରଙ୍କ ଫୋକସରେ ପଛୁଆ ବର୍ଗ; ଆଜିଠୁ ସ୍ୱତନ୍ତ୍ର ସର୍ଭେ

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ଫୋକସରେ ପଛୁଆ ବର୍ଗ । ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତିକୁ ନେଇ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ସର୍ଭେ । ଓଡିଶା ସରକାରଙ୍କ ଦ୍ବାରା ଅଧିସୂଚୀତ ପଛୁଆ ବର୍ଗର ଲୋକଙ୍କୁ ନେଇ ସର୍ଭେ କରାଯିବ । ଉଭୟ ଅନଲାଇନ ଓ ଅଫଲାଇନରେ ତଥ୍ୟ ଦାଖଲ କରିହେବ ।

ଓବିସି କମିଶନଙ୍କ ଓ୍ବେବସାଇଟରେ ଅନଲାଇନ୍ ଏବଂ ଅଙ୍ଗନବାଡି ଓ ସ୍କୁଲ ଘରେ ଖୋଲିଥିବା ଏନୁମରେଟର କେନ୍ଦ୍ରରେ ଅଫଲାଇନରେ ତଥ୍ୟ ଦାଖଲ କରିପାରିବେ । ଏଥିରେ ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ଏନୁମରେଟର ଭାବେ ନିୟୋଜିତ ହେବେ । ସୁରପଭାଇଜରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ମେ ୨୧ରୁ ୨୭ ଯାଏ ହେବ ସ୍ପେଶାଲ ଡ୍ରାଇଭ ।

ଉଭୟ ଅନଲାଇନ ଓ ଅଫଲାଇନରେ ସଂଗୃହିତ ତଥ୍ୟକୁ ଡିଜିଟାଲ ଫର୍ମାଟରେ ରଖାଯିବ। ପରେ ଜୁନ ୬ରେ ଡ୍ରାଫ୍ଟ ପବ୍ଲିକେସନ କରି ଗ୍ରହଣ କରାଯିବ ଆପତ୍ତି ଅଭିଯୋଗ । ଜୁଲାଇ ୧୨ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତଥ୍ୟ । ଏଥିଲାଗି ସବୁ ଜିଲ୍ଲାରେ ଟ୍ରେନରଙ୍କୁ ଦିଆଯାଇଛି ତାଲିମ ।

ଭୁବନେଶ୍ବରରେ ମୋଟ ୧୦୧ଟି କେନ୍ଦ୍ରରେ ହେବ ସର୍ଭେ କାର୍ଯ୍ୟ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲରହିବ ସମସ୍ତ କେନ୍ଦ୍ର । ପଛୁଆ ବର୍ଗ ଅନ୍ତର୍ଗତ ବ୍ୟକ୍ତି ନିଜ ଜାତି ସମ୍ପର୍କିତ ତଥ୍ୟ ଓ ପ୍ରମାଣ ପତ୍ର ସହ କେନ୍ଦ୍ରକୁ ଯାଇ କରିବେ ପଞ୍ଜିକରଣ । ରାଜ୍ୟ ସରକାର ୨୦୨୦ ମସିହାରେ ଓବିସି କମିଶନ ଗଠନ କରିଥିଲେ । ୨୦୨୧ରେ ପଛୁଆବର୍ଗ ସର୍ଭେ କରିବାକୁ ଚାହିଁଥିଲେ ବି କୋଭିଡ ଯୋଗୁ ସମ୍ଭବ ହୋଇନଥିଲା । ପଛୁଆ ବର୍ଗଙ୍କୁ ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ ସୁବିଧା ସୁଯୋଗ ଦେବାପାଇଁ ଆଜିଠୁ ସର୍ଭେ କରାଯିବ ।