ଅସାଧୁ ବ୍ୟବସାୟୀ ସାବଧାନ, ବାତ୍ୟା ନାଁରେ ହୋର୍ଡିଂ କଲେ ଜେଲ

ଭୁବନେଶ୍ବର: ବାତ୍ୟା ନାଁ ଶୁଣିବା ମାତ୍ରେ, ଅସାଧୁ ବ୍ୟବସାୟୀଙ୍କ ପାଇଁ ମଉଜ । ଖାଦ୍ୟ ସାମଗ୍ରୀର ସଙ୍କଟ ଗୁଜବ ସୃଷ୍ଟି କରି କଳାବଜାରୀ ଆରମ୍ଭ କରିଦିଅନ୍ତି । କିନ୍ତୁ ଏଥର ସମ୍ଭାବ୍ୟ ବାତ୍ୟା ଆସିବା ପୂର୍ବରୁ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅସାଧୁ ବେପାରୀଙ୍କୁ ତାଗିଦ୍ କରିଛନ୍ତି । ବାତ୍ୟା ନାଁରେ ଲୋକଙ୍କ ପାଖରୁ ଅଧିକ ଦର ନେଲେ ଯିବାକୁ ପଡ଼ିବ ଜେଲ । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ମହଜୁଦ ଅଛି, ହେଲେ ବାତ୍ୟା ଆସିଲେ ପନିପରିବା ଦର ନିୟନ୍ତ୍ରଣ ବାହାରକୁ ଯିବାର ଆଶଙ୍କା କରାଯାଉଛି ।

ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ଯୋଗାଣ ବିଭାଗ । କିଛି ଅସାଧୁ ବେପାରୀ ଖାଦ୍ୟ ସାମଗ୍ରୀ ସରିଯିବାର ଗୁଜବ ସୃଷ୍ଟି କଲେଣି । ଯେଉଁଥି ପାଇଁ ଲୋକେ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ କିଣୁଛନ୍ତି । ଆଉ କିଛି ଲୋକ କଳାବଜାରୀ ପାଇଁ ସାମଗ୍ରୀ ଗଚ୍ଛିତ ରଖୁଛନ୍ତି । ଯେଉଁଥି ପାଇଁ ବାତ୍ୟା ସମୟରେ ଅଭାବୀ ପରିସ୍ଥିତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ହେଲେ ଏଥର ଯଦି ଅସାଧୁ ବ୍ୟବସାୟୀ କଳାବଜାରୀ କରନ୍ତି, ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ସମୟରେ ପରିବା ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । କିଛି ଦିନ ତଳେ ବନ୍ୟା ଯୋଗୁଁ ଫସଲ ନଷ୍ଟ ହୋଇଛି । ସାଧାରଣରେ ବାତ୍ୟା ପରବର୍ତ୍ତୀ ବନ୍ୟା ଯୋଗୁଁ ପନିପରିବା ଅଧିକ ନଷ୍ଟ ହୁଏ । ଯେଉଁଥି ପାଇଁ ବେପାରୀ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ହି ଚଢା ଦରରେ ପନିପରିବା ବିକ୍ରି କରନ୍ତି ।

ବାତ୍ୟାକୁ ନେଇ ଅନେକ ଗୁଜବ ଦେଖାଦେଲାଣି । ଯାହା ଅସାଧୁ ବ୍ୟବସାୟୀଙ୍କୁ ସୁହାଇଛି  । ଏପରି ଅସାଧୁ ବ୍ୟବସାୟୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।