ଦୁର୍ଘଟଣାର ୪୮ଘଣ୍ଟା ମଧ୍ୟରେ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର: ୧୪୭କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1 min read

ସମ୍ୱଲପୁର: ସ୍ୱାସ୍ଥ୍ୟ ସେବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ଼ ଘୋଷଣା । ଏଣିକି ସଡ଼କ ଦୁର୍ଘଟଣାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ସଡ଼କ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବାରୁ ଏ ନେଇ  ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଲେ, ଅନେକ ମୂଲ୍ୟବନ ଜୀବନ ବଞ୍ଚାଇ ହେବ । ବିଶେଷକରି ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ଯୋଗାଇ ଦେବା ଅତି ଜରୁରୀ । ଏଣୁ ଦୁର୍ଘଟଣାରେ ଗୁରୁତରଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପ୍ରଥମ ୪୮ ଘଣ୍ଟାରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇପାରିବେ । ଏଥିଲାଗି ସେମାନଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି କି, ଟଙ୍କା ଯୋଗାଡ଼ କରିବା ନେଇ ଚିନ୍ତା କରିବାକୁ ପଡ଼ିବନାହିଁ ।

ମଙ୍ଗଳବାର ସମ୍ୱଲପୁର ଗସ୍ତରେ ବିଏସ୍‌କେଓ୍ୱାଇ ସ୍ମାର୍ଟ ହେଲ୍ଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ସହ ଜିଲ୍ଲାର ବିକାଶ ପାଇଁ ନୀଳ ନକ୍ସା ବି ଆଙ୍କିଛନ୍ତି ନବୀନ । ଜିଲ୍ଲାରେ ବିକାଶର ସ୍ରୋତକୁ ବେଗବାନ କରିବାକୁ ୧୫୫୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ହଜାରେ କୋଟିର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ୨୦୨୨ ସୁଦ୍ଧା ସବୁ ପରିବାରଙ୍କୁ ମିଳିବ ପାଇପ ପାଣି । ଏସବୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ଓ ସ୍ଥାନୀୟ ନେତୃତ୍ୱ ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ । BSKY Smart Card ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଓଡିଶାରେ ଆଜି ଗରିବ ଲୋକ ନିଜକୁ ସୁରକ୍ଷିତ ମନେ କରୁଛି। ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ଦିଆଯାଉଥିବା ସାମାଜିକ ଓ ଅର୍ଥିକ ସୁରକ୍ଷା ସେମାନଙ୍କୁ ସଶକ୍ତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

 

Leave a Reply