ବିସ୍ଥାପିତଙ୍କ ମୁହଁରେ ଫୁଟିବ ହସ, ସମାଧାନ ହେବ ୭୦ ବର୍ଷର ସମସ୍ୟା
ରାଉରକେଲା: ୭୦ ବର୍ଷ ପୁରୁଣା ସମସ୍ୟାର ଖୁବଶୀଘ୍ର ହେବ ସମାଧାନ । ବିସ୍ଥାପିତଙ୍କୁ ମିଳିବ ହକ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ରାଜସ୍ବ ବିଭାଗ ଯୁଗ୍ମ ସଚିବଙ୍କୁ ଦିଆଯାଇଛି ଦାୟିତ୍ବ । ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ସମୟରେ ବିସ୍ଥାପିତ ହୋଇଥିବା ସମସ୍ତ ପରିବାର ସଦସ୍ୟଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଇସ୍ପାତ କାରଖାନା ସବ ଲିଜରେ ଦେଇଥିବା ଜମି ସମସ୍ୟା, ମନ୍ଦିରା ଡ୍ୟାମ ବିସ୍ଥାପିତଙ୍କ ସମସ୍ୟା ସହିତ ରେଲଓ୍ବେ ବିସ୍ଥାପିତଙ୍କ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଏଥିପାଇଁ ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଯୁଗ୍ମ ସଚିବ ଅମୀୟ କୁମାର ସାହୁ ରାଉରକେଲା ଗସ୍ତ କରି ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।
ରାଉରକେଲା ଇସ୍ପାତ କାରଖାନା ପାଇଁ ଜମି ଦେଇ ବିସ୍ଥାପିତ ହୋଇଥିବା ପରିବାର ସଦସ୍ୟଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ବିସ୍ଥାପିତ ସଂଘ ପକ୍ଷରୁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା । ଏବେ ବିସ୍ଥାପିତ ପରିବାର ସଦସ୍ୟଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବାରୁ ବିସ୍ଥାପିତ ସଂଘ ପକ୍ଷରୁ ଏହାକୁ ସ୍ବାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି ।
ରାଉରକେଲା ଇସ୍ପାତ କାରଖାନା ପାଇଁ ବିସ୍ଥାପିତ ହୋଇଥିବା ସମସ୍ତ ପରିବାର ସଦସ୍ୟଙ୍କୁ କାରଖାନାରେ ଚାକିରି ପ୍ରଦାନ କରିବା ପାଇଁ ମଧ୍ୟ ବିସ୍ଥାପିତ ସଂଘ ପକ୍ଷରୁ ଦାବି ହୋଇଆସୁଛି ।