ବିରୋଧ ପରେ ସରଳୀକରଣ ହେଲା ଧାନ ପଞ୍ଜିକରଣ ପ୍ରକ୍ରିୟା, ଏଣିକି ଗୋଟିଏ ସେଲ୍ପ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରିବେ ଚାଷୀ
1 min read
ନନ୍ଦିଘୋଷ ବ୍ୟୁରୋ: ଖରିଫ ଧାନ ପଞ୍ଜିକରଣରେ କଠୋର ସ୍ବର୍ତ୍ତ ବିରୋଧରେ ସ୍ବର ଶାଣିତ ହେବା ପରେ ପଞ୍ଜିକରଣ ପ୍ରକ୍ରିୟାକୁ ସରଳୀକରଣ କରିଛନ୍ତି ରାଜ୍ୟ ସରକାର । ଚାଷୀ କେବଳ ଗୋଟିଏ ସେଲ୍ପ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରାଇ ପଞ୍ଜିକରଣ କରି ପାରିବେ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ର । ଚାଷୀମାରଣା ନୀତିକୁ ନେଇ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅନ୍ୟପଟେ ବହୁସ୍ଥାନରେ ଖରିଫ ଧାନ ସଂଗ୍ରହରେ ବାଧକ ସାଜିଛି ଆଇ ସ୍କାନର ।
ବାପା କିମ୍ବା ଭାଇ ଯାହା ନାଁରେ ରେକର୍ଡ ଥିବ, ତାହା କେବଳ ଲେଖିକି ଦେବେ ଚାଷୀ । ଏଥିପାଇଁ ସ୍ବତନ୍ତ୍ର ଫର୍ମ ମଞ୍ଜୁର କରିଛନ୍ତି ସରକାର । ଯାହାଦ୍ବାରା ଧାନ କିଣା ପଞ୍ଜିକରଣରେ ଚାଷୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୩୮ ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି । ଗତବର୍ଷ ଏହି ସମୟରେ ୩ ଲକ୍ଷ ୪୮ ହଜାର ଚାଷୀ ପଞ୍ଜିକରଣ କରିଥିଲେ । ଯଦି କୌଣସି ସମସ୍ୟା ଉପୁଜେ ତେବେ ସରକାର ଦେଇଥିବା ଫୋନ୍ ନମ୍ବରରେ ଫୋନ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ଗତବର୍ଷ ୭୩ ଲକ୍ଷ ୪୬ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା । ଆଉ ଚଳିତବର୍ଷ ଆଉ ଟିକେ ଅଧିକ ଧାନ ସଂଗ୍ରହ ହେବ । ପଞ୍ଜିକରଣ ପରେ କେତେ ଧାନ ସଂଗ୍ରହ ହେବ ତାହା ସ୍ପଷ୍ଟ ହେବ । ସେହିପରି ଇ-କେୱାଇସିରେ ଧରାପଡ଼ିଲେଣି ଅନେକ ଅଯୋଗ୍ୟ ଚାଷୀ । ଏହାସହ ଚାଷ କାର୍ଯ୍ୟ ବଢ଼ିଥିବାରୁ ଏଥର ଧାନ ଓ ଚାଉଳ ଉତ୍ପାଦନ ବଢିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ଖରିଫରେ କିପରି କମ ଚାଷୀ ପଞ୍ଜିକରଣ କରିବେ, ସେନେଇ ବ୍ୟବସ୍ଥା କରିଛନ୍ତି ସରକାର । ଜଟିଳ ପଞ୍ଜିକରଣ ବ୍ୟବସ୍ଥା ଦ୍ବାରା ବହୁ ଚାଷୀ ଏଥର ଧାନ ବିକ୍ରିରୁ ବଞ୍ଚିତ ହେବେ । ଏଫସିଆଇ ଚାଉଳ ନେଉ ନଥିବାରୁ ସରକାର ଏପରି ଚାଷୀମାରଣା ନୀତିକୁ ଆପଣାଇଛନ୍ତି ବୋଲି କହିଛି ବିଜେଡି । ସେହିପରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି, ନିର୍ବାଚନରେ ଚାଷୀଙ୍କୁ ନାନା ସ୍ବପ୍ନ ଦେଖାଇ କ୍ଷମତାକୁ ଆସିଥିଲା ବିଜେପି । ପ୍ରଥମ ବର୍ଷ ବୋନସ ଟଙ୍କା ମଧ୍ୟ ଦେଲେ । ହେଲେ ଏବେ ଚାଷୀ କିପରି ବୋନସ ପାଇବେନି ସେ ବ୍ୟବସ୍ଥା କରିଛନ୍ତି ସରକାର ।
ପଞ୍ଜିକରଣ ବ୍ୟବସ୍ଥାକୁ ସରଳ କରାଯାଇଥିବା ନେଇ କହୁଛନ୍ତି ଯୋଗାଣ ମନ୍ତ୍ରୀ । ହେଲେ ପଞ୍ଜିକରଣ ବେଳେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ୩୦ ତାରିଖର ଏହି ଚିଠି ଖୁଲାସା କରିଛି । ଖରିଫ ଧାନ ସଂଗ୍ରହରେ ବାଧକ ସାଜିଛି ଆଇ ସ୍କାନର । ୧୬ ଜିଲ୍ଲାରେ ନାହିଁ ଆବଶ୍ୟକୀୟ ଆଇ ସ୍କାନର ମେସିନ୍ । ଏହି ଜିଲ୍ଲାରେ ଆବଶ୍ୟକ ରହିଛି ୯୭୯ ଆଇ ସ୍କାନର ମେସିନ୍ । ତେଣୁ ପ୍ୟାକ୍ସ ଓ ଲ୍ୟାମ୍ପସକୁ ତୁରନ୍ତ ଏହି ମେସିନ ଯୋଗାଇ ଦେବାକୁ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।