ଅଚାନକ ମାଡ଼ିଆସିପାରେ ଗ୍ରୀଷ୍ମକାଳୀନ ବାତ୍ୟା, ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

1 min read

ଭୁବନେଶ୍ୱର: ସମର ସାଇକ୍ଲୋନର ଗତି ଜଟିଳ । ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ । ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟାର ଗତି ନେଇ ଆଲୋଚନା କରିଛନ୍ତି । ଫନି ବାତ୍ୟା ସମ୍ପର୍କରେ ସ୍ମରଣ କରି ପ୍ରଶାସନ ଆଗୁଆ ପ୍ରସ୍ତୁତ ରହିବାକୁ ଦୃଢ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା । ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତା’ର ଆକଳନ ବହୁତ ଜଟିଳ। ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଇଛି । ଏଥିରେ କୌଣସି ବିଳମ୍ବ ନକରି ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ସେବା ଆଗୁଆ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ । ୧୭ଟି NDRF ଓ ୨୦ଟି ODRAF ଟିମକୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକସ୍ଥଳେ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପ୍ରାୟ ୧୦୦୦ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ଅଛି ଏବଂ ଅନ୍ୟାନ୍ୟ ସ୍କୁଲ ଓ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚିହ୍ନଟ କରାଯାଇଛି । ଅତ୍ୟାବଶ୍ୟକ ମେସିନ୍‌ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ବାତ୍ୟା ପରେ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ବାତ୍ୟା ସଂପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ବତନ୍ତ୍ର ରିଲିଫ କମିଶନର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୮ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ କଣ୍ଟ୍ରୋଲ ରୁମ୍‌ ପ୍ରସ୍ତୁତ କରାଯାଇଛି ।