ରାଜ୍ୟ ସରକାରଙ୍କ ଏକଛତ୍ରବାଦ ଶାସନ, ବିଧାୟକଙ୍କୁ ମିଳୁନି କ୍ବାର୍ଟର୍ସ !

1 min read

ଭୁବନେଶ୍ବର: ବିଧାୟକଙ୍କୁ ମିଳୁନି କ୍ବାର୍ଟର୍ସ । ଗେଷ୍ଟ ହାଉସରେ ରହିବାକୁ ହେଉଥିଲେ ବାଧ୍ୟ । ଏବେ ଡିଜିପି ସମ୍ମିଳନୀ ଆରମ୍ଭ ହୋଇଥିବାରୁ ସେମାନଙ୍କୁ ଗେଷ୍ଟ ହାଉସରୁ ବି କାଢ଼ି ଦିଆଗଲା । ଯାହାକୁ ନେଇ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଏତାଦୃଶ୍ୟ କାମକୁ ନେଇ ବର୍ଷିଛନ୍ତି ବିଧାୟକ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି । ରାଜ୍ୟ ସରକାର ବିଧାୟକମାନଙ୍କୁ ଅଣଦେଖା କରୁଛନ୍ତି । ବିଧାୟକ ହେବାର ୫ ମାସ ହେଲାଣି ଘର ଯୋଗାଇ ଦେଲେ ନାହିଁ ରାଜ୍ଯ ସରକାର । ଆମେ ଆମ ଠିକଣା ଖୋଜୁଛୁ । କେତେବେଳେ ଅତିଥି ଭବନ ତ କେତେବେଳେ ହୋଟେଲ ହୋଇଛି ଆମର ଠିକଣା l ଆମକୁ ଲୋକଙ୍କ ସହ ମିଶିବାରେ ଅସୁବିଧା ହେଉଛି l ଏହା ଠିକ୍ ନୁହେଁ l ଯଦି ଜନ ପ୍ରତିନିଧିମାନେ ଏତେ ଅସୁବିଧାରେ ଅଛନ୍ତି, ତେବେ ଲୋକେ କିପରି ଥିବେ ଅନୁମାନ କରନ୍ତୁ ବୋଲି ସମାଲୋଚନା କରି କହିଛନ୍ତି ରାମଚନ୍ଦ୍ର ।

ସେହିପରି କଂଗ୍ରେସର ଅନ୍ଯତମ ବିଧାୟକ ସାଗର ଦାସ କହିଛନ୍ତି, ଡିଜିପି ସମ୍ମିଳନୀରେ ବିଜେପି ତାହାର ଦଳୀୟ ପ୍ରଚାର କରୁଛି l କର୍ପୋରେଟ ଷ୍ଟାଇଲରେ ସରକାର ଚଳାଉଛନ୍ତି ଓ ଦଳୀୟ ପ୍ରଚାର କରୁଛନ୍ତି l ବିଧାୟକମାନଙ୍କୁ ବହୁତ ହଇରାଣ କରୁଛନ୍ତି l ଜନ ପ୍ରତିନିଧିମାନଙ୍କୁ ହଇରାଣ କରାଯାଉଛି l ସରକାରୀ କ୍ବାର୍ଟର୍ସ ଦେଉନାହାନ୍ତି l

ସେହିପରି ନିର୍ବାଚିତ ଜନ ପ୍ରତିନିଧିଙ୍କୁ ରାଜ୍ୟ ସରକାର ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ବିଧାୟକଙ୍କ ଠିକଣା କ’ଣ ତାହା କାହାକୁ ଜଣାନାହିଁ l ବହୁତ ଅସୁବିଧାରେ ବିଧାୟକମାନେ ଏ ଜାଗାରୁ ସେ ଜାଗାକୁ ସ୍ଥାନାନ୍ତରିତ ହେଉଛନ୍ତି l ସରକାରୀ କ୍ବାର୍ଟର୍ସ ନମିଳିବାରୁ ଲୋକଙ୍କୁ ଭେଟିବାରେ ଅସୁବିଧା ହେଉଛି ବୋଲି କହିଛନ୍ତି ସାରଦା ।

ହେଲେ ବିଜେପି ପକ୍ଷରୁ ଅଜବ ଦୃଷ୍ଟି ଉପସ୍ଥାପନ କରାଯାଇଛି । ବିଜେପି ବିଧାୟକ ମନୋରଞ୍ଜନ ଦ୍ଯାନ ସମାନ୍ତରାୟ କହିଛନ୍ତି, ଡିଜିପି ସମ୍ମିଳନୀ ପରି ଦେଶର ଏକ ବଡ଼ ବୈଠକ ଓଡ଼ିଶାରେ ହେଉଛି, ତେଣୁ ଟିକେ ଅସୁବିଧା ହେବ ।