ପୋଲାଭରମ ପ୍ରକଳ୍ପ: ଶୋଇଛି ଓଡ଼ିଶା, ଧମକାଇ କ୍ଷତି ଭରଣାରେ ସଫଳ ହେଉଛି ତେଲେଙ୍ଗାନା

ନନ୍ଦିଘୋଷ ବ୍ୟୁରୋ: ଅଳ୍ପ କ୍ଷତି ସହିବାକୁ ଥିବା ତେଲେଙ୍ଗାନା ଧମକାଇ ନିଜର ହକ ହାସଲ କରୁଛି । କିନ୍ତୁ ଡବଲ ଇଞ୍ଜିନ ସରକାର ଥାଇ ଓଡିଶା ବୁଡିବାକୁ ଦିନ ଗଣୁଛି । ପୋଲାଭରମ ପ୍ରକଳ୍ପକୁ ନେଇ ଏମିତି ସାଙ୍ଘାତିକ କଥା ପଦାକୁ ଆସିଛି । ପୋଲାଭରମ ପ୍ରକଳ୍ପ ଯୋଗୁଁ ତେଲଙ୍ଗାନାର କେତେ କ୍ଷତି ହେବ ସେ ନେଇ ଏକ ସ୍ୱାଧୀନ ଷ୍ଟଡି କରାଇବାରେ ତେଲଙ୍ଗାନା ସରକାର ସଫଳ ହୋଇଛନ୍ତି । ହେଲେ ଓଡ଼ିଶା ସରକାରଙ୍କ ନୀରବ ଭୂମିକାକୁ ନେଇ ବର୍ଷିଛନ୍ତି ରାଜନୈତକ ଦଳ ଓ ବିଭିନ୍ନ ସଂଗଠନ । ବିଜେଡିର କହିବା କଥା ଏନଜିଟି ରାୟ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଆଧାର କରି ବର୍ତ୍ତମାନ ତେଲଙ୍ଗାନା ସରକାର ଧମକାଇ କାମ ହାସଲ କରୁଛନ୍ତି, କିନ୍ତୁ ଓଡିଶା ସରକାର ଚୁପ ।
ପୋଲାଭରମ ପ୍ରକଳ୍ପକୁ ନେଇ ଶୋଇଛି ଓଡିଶା । ସେପଟେ ନିଜର କ୍ଷତି ଭରଣା ପାଇଁ ଧମକାଇ ସଫଳ ହୋଇଛି ତେଲଙ୍ଗାନା । ପ୍ରକଳ୍ପ ଯୋଗୁଁ ତେଲେଙ୍ଗାନାର କେତେ କ୍ଷତି ହେବ ସେ ନେଇ ଏକ ସ୍ୱାଧୀନ ଷ୍ଟଡି କରାଇବାରେ ତେଲେଙ୍ଗାନା ସରକାର ସଫଳ ହୋଇଛନ୍ତି । କିନ୍ତୁ ଅଧିକ କ୍ଷତି ସହିବାକୁ ଥିବା ଓଡିଶା ସରକାର ଏବେ ବି କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜଳ ବିଶେଷଜ୍ଞ । ଗ୍ରୀନ ଟ୍ରିବୁନାଲ ତେଲେଙ୍ଗାନା ସମେତ ଓଡିଶା ଓ ଛତିଶଗଡର କ୍ଷୟକ୍ଷତି ଆକଳନ ନେଇ କହିଥିଲା । ପ୍ରକଳ୍ପ ଉଚ୍ଚତା ୧୫୦ ଫୁଟ ହୋଇଥିବାରୁ ୫୦ ଲକ୍ଷ କ୍ୟୁସେକ ଫ୍ଲଡ଼ ୱାଟର ଆସିବାର ଆକଳନ ହୋଇଛି । ଓଡ଼ିଶାର ମାଲକାନଗିରିର ମୋଟୁ ନିକଟରେ ୧୯୪ ଫୁଟରୁ ଅଧିକ ପଛୁଆ ଜଳ ଆସିବ । ତେଣୁ ଏକାସାଙ୍ଗରେ କ୍ଷୟକ୍ଷତି ଆକଲନ ପାଇଁ ଓଡିଶା ସରକାର ତୁରନ୍ତ ଚାପ ପ୍ରୟୋଗ କରନ୍ତୁ ବୋଲି ଦାବି ହୋଇଛି । ଓଡ଼ିଶା ସରକାର ତୁରନ୍ତ ମ୍ୟାପିଂ କରନ୍ତୁ । ଆନ୍ଧ୍ର ସରକାର ଓ ପୋଲାଭରମ ପ୍ରକଳ୍ପ ଅଥରିଟିଙ୍କ ସହ ଆଲୋଚନା କରି ତେଲଙ୍ଗାନା ଭଳି କରନ୍ତୁ ବୋଲି ଦାବି ହୋଇଛି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ପାଟି ଚୁପ ନ ରଖି ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଏବେ ହିଁ ଗର୍ଜନ କରନ୍ତୁ ବୋଲି ଦାବି ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନିଜେ କିଛି କରିପାରୁ ନାହାନ୍ତି । ତେଣୁ ଓଡ଼ିଶାର ସ୍ୱାର୍ଥ ପାଇଁ ଯିଏ ଗର୍ଜିବ ତାଙ୍କୁ ଦାୟିତ୍ୱ ଦିଆଯାଉ । ଏକ କମିଟି ଗଠନ କରିବାକୁ ଦାବି କରିଛନ୍ତି ଜଳ ବିଶେଷଜ୍ଞ । ଟ୍ରିପଲ ଇଞ୍ଜିନ ସରକାରରେ ଓଡିଶା ସରକାର ଆଡ଼ଭେଣ୍ଟଜ ପୋଜିସନରେ ରହିଛନ୍ତି । କିନ୍ତୁ ବାରମ୍ବାର ବିରୋଧୀଙ୍କ ଆନ୍ଦୋଳନ ଓ ପ୍ରତିବାଦ ସତ୍ତ୍ୱେ ରାଜ୍ୟ ବିଜେପି ସରକାର ଏବେ ବି ଚୁପ । ଏହାକୁ ନେଇ ଗର୍ଜିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।
ବିଜେଡିର କହିବା କଥା ଏନଜିଟି ରାୟ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଆଧାର କରି ବର୍ତ୍ତମାନ ତେଲଙ୍ଗାନା ସରକାର ଧମକାଇ କାମ ହାସଲ କରୁଛନ୍ତି, କିନ୍ତୁ ଓଡିଶା ସରକାର ଚୁପ। ପୋଲାଭରମ ପ୍ରକଳ୍ପ ଦ୍ବାରା ଆଦିବାସୀ ଅଞ୍ଚଳ ପ୍ରଭାବିତ ହେବ । ରାଜ୍ୟବାସୀ ବିଜେପି ସରକାରକୁ କେବେ କ୍ଷମା ଦେବେ ନାହିଁ ବୋଲି କହିଛି ବିଜେଡି । ସେପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଆମ ଜନତା ଅଧିକାର । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଏସ ଥିଲା । ସେ କମ କହୁଥିଲେ ଓ ସବୁ କାମରେ ଦେଖାଉଥିଲେ । ଜାତୀୟ ରାଜନୀତିରେ ତାଙ୍କ କଥାର ଓଜନ ଓ ଦମଦାର ଥିଲା । କିନ୍ତୁ ଏବେ ଏଠି କେବଳ ଭାଷଣ ଚାଲିଛି ବୋଲି କହିଛି ସଂଗଠନ ।