ବାହାନଗା ସ୍କୁଲରେ ପାଠ ପଢିବାକୁ ନାରାଜ ଛାତ୍ରଛାତ୍ରୀ, ଖୁବଶୀଘ୍ର ନିଷ୍ପତ୍ତି ନେବେ ସରକାର

ବାଲେଶ୍ବର: ଭଙ୍ଗାଯାଇପାରେ ବାହାନଗା ହାଇସ୍କୁଲ । ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ସ୍କୁଲରେ ରଖାଯାଇଥିଲା କୁଢ଼ କୁଢ଼ ମର ଶରୀର । ଏଥିପାଇଁ ଭୟରେ ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ନାରାଜ ଅଛନ୍ତି । ଫଳରେ ଜିଲ୍ଲାପାଳ ଆଜି ଅଭିଭାବକଙ୍କ ସହ ବୈଠକ କରିଛନ୍ତି । ବାହାନଗା ହାଇସ୍କୁଲରେ ଜିଲ୍ଲାପାଳ ପହଞ୍ଚି ଶବ ରଖିବା ସ୍ଥାନ ଅଧୁଧ୍ୟାନ କରିବା ସହ ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି ।

ପୁରାତନ ସ୍କୁଲ ହୋଇଥିବାରୁ  ସ୍କୁଲ ଘର ଭଙ୍ଗାଯାଇପାରେ। ଖୁବଶୀଘ୍ର ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଶବ ଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ସୃଷ୍ଟି ହୋଇଛି ଭୟର ବାତାବରଣ । ଭୟ ଦୂର କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବାକୁ ଉଦ୍ୟମ ଚାଲିଛି । ସ୍କୁଲରୁ ମୃତଦେହ ନିଆଯିବା ପରେ ସ୍କୁଲ ସାନିଟାଇଜ୍ ହୋଇଛି । ହେଲେ ପିଲା ଦେଖିଥିବା ସେଦିନ ରାତିର ଛାତିଥରା ଦୃଶ୍ୟ ମନରୁ ଲିଭୁନି ।