ସତ ଦେଖାଇବାକୁ କାହିଁକି ଏତେ ଡରୁଛନ୍ତି ସରକାର

ଭୁବନେଶ୍ବର: ପଦାରେ ପଡିଲା ସରକାରଙ୍କ ବିରୋଧୀ ଦଳର କଣ୍ଠରୋଧ ଉଦ୍ୟମ । ପ୍ରଶ୍ନୋତ୍ତର କାଳରେ ଯେତେବେଳେ ଗଣମାଧ୍ଯମ ଆଗରେ ସବୁ ଭିଡିଓ ଦେଖାଇବାର ନିୟମ ରହିଛି, ସେଠି କେବଳ ସରକାରୀ ଦଳ ସଦସ୍ୟ ଓ ମନ୍ତ୍ରୀମାନଙ୍କ ଭିଡିଓ ହିଁ ବିଧାନସଭାରେ ଦେଖାଯାଉଛି । ବିରୋଧୀଙ୍କ ପ୍ରଶ୍ନ କି ପ୍ରତିବାଦ ନ ଦେଖାଇବାର ଅଘୋଷିତ ନିର୍ଦ୍ଦେଶାବଳୀ ରହିଥିବା ଅଭିଯୋଗ କରିଛନ୍ତି ବିରୋଧୀ । ବିରୋଧୀ ଦଳ ଯେଉଁ ସବୁ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଉଛି ତାହା ଜାଣିବା ରାଜ୍ୟବାସୀଙ୍କ ହକ । ୯ ମାସର ସରକାର ସତ ଦେଖାଇବାକୁ କାହିଁକି ଏତେ ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ । ସେପଟେ ବିରୋଧୀଙ୍କ ଅସହଯୋଗ ମନୋଭାବକୁ ନେଇ ପାଲଟା ଅଭିଯୋଗ କରିଛି ବିଜେପି ।

ବିଧାନସଭାରେ ଲାଗୁ ହୋଇଛି କି ଅଘୋଷିତ ଏମର୍ଜେନ୍ସି । କେବଳ ସରକାରୀ ଦଳର ନେତା ଓ ମନ୍ତ୍ରୀଙ୍କ ଭିଡିଓ ହେଉଛି ସାର୍ବଜନୀନ । ବିରୋଧୀଙ୍କ ଭିଡିଓ କାହିଁକି ଦେଖାଯାଉନି ? ବିଧାନସଭାରେ ବିରୋଧୀ ଦଳକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଗୃହ ବାହାରେ ଓ ଭିତରେ ଏହାକୁ ନେଇ ଗର୍ଜିଛନ୍ତି ବିରୋଧୀ ବିଧାୟକ । ପ୍ରଶ୍ନକାଳରେ ବିରୋଧୀ ଦଳର ଆନ୍ଦୋଳନ କି ପ୍ରତିବାଦର ଭିଡିଓ ମିଡିଆକୁ ଯାଉନି । କେବଳ ସରକାରୀ ଦଳର ମନ୍ତ୍ରୀ ଓ ନେତାଙ୍କ ଭିଡିଓ ଗଣମାଧ୍ୟମକୁ ଦିଆଯାଉଛି । ଗୃହ ବାହାରେ ଏହାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରୀ ଦଳ ଉପରେ ବର୍ଷିଥିବା ବେଳେ ଅପରାହ୍ନ ଅଧିବେଶନରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପଏଣ୍ଟ ଅଫ ଅର୍ଡର ଜରିଆରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି । ବିଧାନସଭା ଗୃହ କୌଣସି ଗୁପ୍ତ ଗୃହ ନୁହେଁ । ଏହା ଜନପ୍ରତିନିଧିଙ୍କ ଗୃହ । କେବଳ ସରକାରୀ ଦଳକୁ ପ୍ରାଧାନ୍ଯ ଦେଇ ବିରୋଧୀଙ୍କୁ କାହିଁକି ଅଣଦେଖା କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ସାମ୍ବାଦିକମାନେ ବିରୋଧୀଙ୍କ ପ୍ରତିବାଦର ଫଟୋ ଛାପିଲେ ତାଙ୍କୁ ଅଫିସର ବାରଣ କରୁଥିବା ସେ ଅଭିଯୋଗ କରିଛନ୍ତି ।

ବିଜେଡି ସହ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ କରିଛି । ଦୀର୍ଘ ଦିନ ଧରି କଂଗ୍ରେସ ଏହାକୁ ନେଇ ପ୍ରତିବାଦ କରୁଥିବା ବେଳେ ବିଧାନସଭା ଫଟୋ ଓ ଭିଡିଓରେ କଂଗ୍ରେସକୁ ସମ୍ପୂର୍ଣ୍ଣ କାଟି ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ । ସେପଟେ ଏହି ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା କରିଛି ବିଜେପି । ବରଂ ବିରୋଧୀ ଦଳ ଗୃହ ପରିଚଳନାରେ ସହଯୋଗ କରୁନି ବୋଲି ପାଲଟା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ।

ଗୃହ ଭିତରେ ବିରୋଧୀଙ୍କୁ ସରକାରୀ ଦଳର ଆକ୍ରମଣର ଭିଡିଓ ଗଣମାଧ୍ୟମରେ ଆସିବା ପରେ, ଜାଣିଶୁଣି ବିରୋଧୀ ଦଳକୁ ବିଧାନସଭା ଭିଡିଓରୁ ବାଦ ଦିଆଯାଉଛି । ଉଦ୍ଦେଶ୍ୟମୂଳକ ଭାବେ ସରକାରୀ ଦଳ ବିରୋଧୀଙ୍କୁ ଅଣଦେଖା କରୁଛି ବୋଲି ଅଭିଯୋଗ ହୋଇଛି ।