ମଧ୍ୟାହ୍ନ ଭୋଜନରେ ପିଲାଙ୍କ ପେଟକୁ ସରକାର ମାରୁଛନ୍ତି ଲାତ !

ଭୁବନେଶ୍ବର: ମଧ୍ୟାହ୍ନ ଭୋଜନରେ ପିଲାଙ୍କ ପେଟକୁ ସରକାର ଲାତ ମାରୁଥିବା ଅଭିଯୋଗ । ବଜାର ଦର ହୁ ହୁ ହୋଇ ବଢୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି । ଏଭଳି ସ୍ଥିତିରେ ଅତି ସ୍ୱଳ୍ପ ଅର୍ଥରେ ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ କିଭଳି ଦିଆଯିବ ତାକୁ ନେଇ ପ୍ରଶ୍ନ ଉଠାଇଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ସପ୍ତାହରେ ଗୋଟିଏ ଅଧିକ ଅଣ୍ଡା ଓ ତିନୋଟି ଲଡୁ ଦେବା ନିଷ୍ପତ୍ତିକୁ ନେଇ ଏଭଳି ପ୍ରଶ୍ନ ଉଠାଇଛି ପ୍ରାଥମିକ ଶିକ୍ଷକ ସଂଘ । ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଣ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସରକାର ବିଭିନ୍ନ ବାଟରେ ବାଟବଣା କରୁଥିବା ଅଭିଯୋଗ ହେବା ସହ ଆନ୍ଦୋଳନର ଚେତାବନୀ ଦିଆଯାଇଛି ।

୯ ରୁ ୧୦ ଟଙ୍କା ଦେଇ ପିଲାଙ୍କୁ ପେଟପୂରା ମଧ୍ୟାହ୍ନ ଭୋଜନ ଦେବାକୁ କହୁଛନ୍ତି ସରକାର । ବଜାରର ବର୍ଦ୍ଧିତ ଦର ଅନୁଯାୟୀ ଏହା ପ୍ରାୟ ଅସମ୍ଭବ । ଯେଉଁଥି ପାଇଁ ଏହି ଅର୍ଥ ବଢ଼ାଇବାକୁ ବାରମ୍ବାର ଦାବି ହେଉଛି । କିନ୍ତୁ ଏହା ନ କରି ଏବେ ସରକାର ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ସପ୍ତାହରେ ଗୋଟିଏ ଅଧିକ ଅଣ୍ଡା ଓ ତିନୋଟି ଲଡୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ବଜାର ଅନୁଯାୟୀ ୧୦ରୁ ୧୨ ଟଙ୍କା ମଧ୍ୟରେ ଗୋଟିଏ ପିଲାକୁ ପାଇଁ ମଧ୍ୟାହ୍ନ ଭୋଜନ ମିଲ ପ୍ରସ୍ତୁତ କରିବା ସମ୍ଭବ ନୁହେଁ ବୋଲି ସରକାରଙ୍କୁ ରୋକଠୋକ ଜଣାଇଦେଇଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ତେଣୁ ସରକାର ତୁରନ୍ତ ଏ ଦିଗରେ ବିଚାର କରିବାକୁ ଦାବି ଉଠିଛି । ଏଥିସହିତ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଛାତ୍ରଛାତ୍ରୀଙ୍କୁ ଦୈନିକ ୩୦୦ ମିଲିଲିଟର କ୍ଷୀର ଦେବାକୁ ଦାବି କରିଛି ସଂଘ । ମଧ୍ୟାହ୍ନ ଭୋଜନକୁ ଉନ୍ନତ ମାନର କରା ନଯିବା ଓ ଯୋଜନାକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ ନକରି ଅନ୍ୟ ଯୋଜନା ଲାଗୁ କରିବାକୁ ଶିକ୍ଷା ଅଧିକାର କାର୍ଯ୍ୟକର୍ତ୍ତାମାନେ ନାପସନ୍ଦ କରିଛନ୍ତି ।

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସହ ସ୍ୱର ମିଶାଇଛି ଓଡ଼ିଶା ଅଭିଭାବକ ମହାସଂଘ । ମଧ୍ୟାହ୍ନଭୋଜନ ପାଇଁ ସରକାର ଅତି ସ୍ୱଳ୍ପ ଅର୍ଥ ଦେଉଛନ୍ତି । ଏହା ପରେ ବି ଅତିରିକ୍ତ ଲଡୁ ଦେବାର ମାନେ କ’ଣ ବୋଲି ପ୍ରଶ୍ନ ଉଠାଇଛି ମହାସଂଘ । ସରକାର କେବଳ ପ୍ରଚାର ସର୍ବସ୍ବ ହେଲେ ଯୋଜନା ଏଭଳି ବାଟବଣା ହୁଏ । ମଧ୍ୟାହ୍ନ ଭୋଜନ ପାଇଁ ମିଲ ପିଛା ଯେତିକି ଦେବା ଦରକାର ସେତିକି ତୁରନ୍ତ ଦେବାକୁ ଦାବି କରିଛି ମହାସଂଘ । ସେପଟେ ବର୍ତ୍ତମାନ ରାଜ୍ୟର ଦଳିତ, ଆଦିବାସୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀରେ ପିଲାଙ୍କୁ ଶିକ୍ଷାଦାନ ତଥା କୁପୋଷଣରୁ ମୁକ୍ତ କରିବା ପାଇଁ ଉକୃଷ୍ଟ ମାନର ମଧ୍ୟାହ୍ନ ଭୋଜନ ଆବଶ୍ୟକତା ରହିଛି । ଏହାକୁ ଧ୍ୟାନ ନଦେଇ ସରକାର କେବଳ ମନଇଚ୍ଛା ନିଷ୍ପତ୍ତି ନେଲେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସାଧିତ ହେବନାହିଁ ବୋଲି କୁହାଯାଇଛି ।