ଦିଲ୍ଲୀ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ତତ୍ପରତା

ଭୁବନେଶ୍ବର: ଦିଲ୍ଲୀ ଅଗ୍ନିକାଣ୍ଡ ପୂରା ଦେଶକୁ ଦୋହଲାଇ ଦେଇଛି । ସମସ୍ତଙ୍କ ଆଖି ଆଗରେ ଜୀବନ୍ତ ଦଗ୍ଧ ହୋଇ ଯାଇଛି ୨୭ ଜୀବନ । ଏମିତି ସ୍ଥିତିରେ ଅଗ୍ନିକାଣ୍ଡକୁ ନେଇ ଓଡ଼ିଶା ସରକାର ସତର୍କ ହୋଇଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ୨୦୧୭ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଅଗ୍ନିଶମ ବିଭାଗ ମହା ନିର୍ଦ୍ଦେଶକ ଏସ.କେ. ଉପାଧ୍ୟାୟ ଚିଠି ଲେଖିଛନ୍ତି । ଏହି ଚିଠି ସମସ୍ତ ଜିଲ୍ଲାର ସହକାରୀ ଅଗ୍ନିଶମ ଅଧିକାରୀ, ସମସ୍ତ ସର୍କଲର ଡେପୁଟି ଅଗ୍ନିଶମ ଅଧିକାରୀ ଓ ରାଜ୍ୟର ରେଞ୍ଜ ଫାୟାର ଅଫିସରଙ୍କୁ ଲେଖାଯାଇଛି ।

ହୋଟେଲ, ଲଜ, ଗେଷ୍ଟ ହାଉସ, ଶିକ୍ଷାନୁଷ୍ଠାନ, ସିନେମା ହଲ୍, ମଲ୍ଟିପ୍ଲେକ୍ସ, ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ, ଅଫିସ ବିଲଡିଂ, ବିଜନେସ ଅଫିସ, ଅଡିଟୋରିୟମ, କନଭେନସନ ହଲ୍, ହଷ୍ଟେଲ, କାରଖାନା, ଶିଳ୍ପ ଆଦିରେ ଅଗ୍ନିଶମ ନିରାପତ୍ତା ଅଡିଟ କରିବା ଲାଗି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ସଂକ୍ରାନ୍ତ ପ୍ରମାଣପତ୍ର ଯେପରି ଲାଗିବ ସେଥିଲାଗି ପଦକ୍ଷେପ ନେବାକୁ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି ।

ବିଭିନ୍ନ ପ୍ରତିଷ୍ଠାନରେ ଯାଞ୍ଚ କରିବା ଲାଗି ସମସ୍ତ ଅଗ୍ନିଶମ ଅଧିକାରୀ ତଥା ସହକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନି ନିରାପତ୍ତା ନେଇ ବିଭିନ୍ନ ମାର୍କେଟ କମିଟିର ସହଭାଗିତାରେ ପଦକ୍ଷେପ ନେବା ଲାଗି ଅଗ୍ନିଶମ ଅଧିକାରୀଙ୍କୁ କୁହାଯାଇଛି । ଅଗ୍ନି ଜନିତ ବିପଦ ସମୟରେ ୧୧୨କୁ ଡାଏଲ କରିବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।