କମୁନି ଦରଦାମ: ହନ୍ତସନ୍ତ ହେଉଛନ୍ତି ଖାଉଟି, ଆଖି ବୁଜି ଦେଇଛନ୍ତି ସରକାର

ଭୁବନେଶ୍ବର:  କେବେ କମିବ ଦରଦାମ ? କେବେ ସ୍ବାଭାବିକ୍ ହେବ ସ୍ଥିତି ? ତ୍ରାହି ତ୍ରାହି ଡାକିଲେଣି ଗରିବ ଓ ମଧ୍ୟବିତ୍ତ । ଅତ୍ୟାବଶ୍ୟକ ସାମଗ୍ରୀ ସହ ପନିପରିବା ଦର ଆକାଶଛୁଆଁ । ଏଭଳି ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ ନେହୁରା ହେଉଛନ୍ତି ଗ୍ରାହକ । ହେଲେ ସବୁ ଜାଣି ବି ହାତ ଟେକି ଦେଇଛନ୍ତି ସରକାର । ସରକାର ନା କିଛି ପଦକ୍ଷେପ ନେଉଛନ୍ତି ନା ନିୟନ୍ତ୍ରଣକୁ ଆଣୁଛନ୍ତି । ପ୍ରବଳ ଚାପ ଓ ସମାଲୋଚନା ପରେ ଏବେ ବ୍ୟବସାୟୀଙ୍କ ସହ ବୈଠକ କରିଛି ଯୋଗାଣ ବିଭାଗ ।

ଦର କମୁ ନଥିବାରୁ ସାଧାରଣରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ଓଳିଏ ଖାଇବା ପାଇଁ ବି ଖାଦ୍ୟ ସାମଗ୍ରୀ ଆଣିପାରୁ ନାହାନ୍ତି ସାଧାରଣ ପରିବାର । ଦରଦାମ ନିୟନ୍ତ୍ରଣ କରିବାରେ ଅସକ୍ଷମ ସରକାର । ସ୍ଥିତି ଅଣାୟତ ହେବା ପରେ ଏବେ ଦରଦାମ ବୃଦ୍ଧିର କାରଣ ଖୋଜୁଛି ଯୋଗାଣ ବିଭାଗ । ରାଜ୍ୟ ବ୍ୟବସାୟୀଙ୍କ ସହ ବୈଠକ କରି ମତାମତ ନେଇଛନ୍ତି ସରକାର । ପନିପରିବାର ପାଇକାରୀ ଦର କମ ରହିଛି, କିନ୍ତୁ ମଧ୍ୟସ୍ଥିଙ୍କ ଯୋଗୁଁ ଦର ବଢୁଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ମଣ୍ଡି ଅଭାବ ଯୋଗୁଁ ଉପୁଜୁଛି ସମସ୍ୟା । ଏଥିପାଇଁ ଖୁବଶୀଘ୍ର କଟକ ଓ ଭୁବନେଶ୍ୱରରେ ଅଧିକ ମଣ୍ଡି ଖୋଲାଯିବ । ଏହାସହ ପ୍ରତ୍ୟେକ ଜିଲ୍ଲାରେ ମଣ୍ଡି କରିବାକୁ ନିଆଯାଇଛି ନିଷ୍ପତ୍ତି । ମଣ୍ଡିକୁ କୃଷିଜାତ ସାମଗ୍ରୀ ଆଣିବେ ଚାଷୀ । ଏଥିସହ କୃଷି, ସମବାୟ ଓ ଖାଉଟି କଲ୍ୟାଣ ବିଭାଗ ମିଳିତ ଭାବେ ବୈଠକ କରି ଦରଦାମ ନିୟନ୍ତ୍ରଣ କରିବାକୁ ଯୋଜନା ପ୍ରସ୍ତୁତ କରିବେ । ସେହିପରି ଆଳୁ ଓ ପିଆଜ ଉତ୍ପାଦନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଦରଦାମ ନିୟନ୍ତ୍ରଣ ପାଇଁ ବ୍ୟବସାୟୀ ଓ ବ୍ୟବସାୟୀ ସଙ୍ଘର ସହଯୋଗ ଲୋଡିଛନ୍ତି ସରକାର । ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି କରିବା ସହ କୃଷି ଭିତ୍ତିଭୂମି ବଢାଇବାକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ପ୍ରତି ୩ ମାସରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ବ୍ୟବସାୟୀ ସଂଘ । ରାଜ୍ୟରେ ମଣ୍ଡି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ କୃଷକଙ୍କ ସହ ସିଧାସଳଖ ଯୋଡି ହେବାକୁ ନିବେଦନ କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଓ ବ୍ୟବସାୟୀଙ୍କ ସହ ଆଲୋଚନା କରାଗଲେ ସୁଫଳ ମିଳିବ ବୋଲି କହିଛନ୍ତି ବ୍ୟବସାୟୀ ।

ବ୍ୟବସାୟୀମାନେ ଯେଭଳି ମନଇଚ୍ଛା ଦରରେ ବିକ୍ରି କରି ନପାରିବେ ସେଥିପାଇଁ ପ୍ରତ୍ୟେକ ବ୍ୟବସାୟୀ ଦୋକାନରେ ରେଟ୍ ଚାର୍ଟ ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ଦରଦାମ ବୃଦ୍ଧିର କାରଣ ଖୋଜିଥିବା ବେଳେ, କେବେ ନିୟନ୍ତ୍ରଣକୁ ଆସିବ ସ୍ଥିତି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।