ଅନ୍ୟ ରାଜ୍ୟରେ ବ୍ରିଜ ଭୁଶୁଡିବା ଘଟଣା ଦେଖି ସରକାରଙ୍କ ଆଗୁଆ ପଦକ୍ଷେପ, ଆଣିଲେ ବ୍ରିଜ ମେଣ୍ଟେନାନ୍ସ ପଲିସି

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର ତାଗିଦ ପରେ ବି ରାଜ୍ୟର ପ୍ରମୁଖ ନିର୍ମାଣ କାର୍ଯ୍ୟଗୁଡିକ ସଠିକ ସମୟରେ ସରୁ ନାହିଁ । ଯାହାକୁ ନେଇ ପୂର୍ତ୍ତ ମନ୍ତ୍ରୀ ସମୀକ୍ଷା ବୈଠକରେ ତାଗିଦ କରିଛନ୍ତି । ଏଥିସହିତ ଦେଶର ବିଭିନ୍ନ ରାଜ୍ୟରେ ପୁରୁଣା ପୋଲ ଭାଙ୍ଗି ବହୁ ଜୀବନ ଯାଉଥିବାରୁ ଓଡ଼ିଶାରେ ଏକ ବ୍ରିଜ ପଲିସି ଆଣିଛନ୍ତି ସରକାର । ଏହି ପଲିସି ଅନୁଯାୟୀ ରାଜ୍ୟର ସମସ୍ତ ପୋଲର ସ୍ଥିତି ତଦାରଖ କରିବା ସହ ସଠିକ ସମୟରେ ସେସବୁର ରକ୍ଷଣାବେକ୍ଷଣ କରାଯିବ ବୋଲି ପୂର୍ତ୍ତ ବିଭାଗର ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ।

ରାଜ୍ୟରେ ଆସିଲା ବ୍ରିଜ ମେଣ୍ଟେନାନସ ପଲିସି । ଦେଶର ବିଭିନ୍ନ ରାଜ୍ୟରେ ବ୍ରିଜ ଭୁଶୁଡି ପଡୁଥିବା ବେଳେ ଏହାକୁ ଆଖି ଆଗରେ ରଖି ଏହି ପଲିସି ଅଣାଯାଇଥିବା ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ । ଏହି ପଲିସି ଅନୁଯାୟୀ ରାଜ୍ୟର ପୁରୁଣା ଓ ନୂଆ ବ୍ରିଜର କିଭଳି ନିରନ୍ତର ପରିଚାଳନା ଠିକ ଭାବେ ହେବ ତା’ ଉପରେ ଫୋକସ କରାଯାଇଛି । ରୋଡ ମେଣ୍ଟେନାନ୍ସ ପଲିସି ମଧ୍ୟ କାର୍ଯ୍ୟକାରୀ ହେବ । ବ୍ରିଜ ଗୁଡିକର ପର୍ଯ୍ୟାୟ ଭିତ୍ତିକ ସୁପରଭିଜନ କରାଯିବ । ସମୟ ସୀମା ମଧ୍ୟରେ ତର୍ଜମା କରାଯିବ, ସମୀକ୍ଷା ହେବ । ଇଂଜିନିୟର ମାନେ ଯାଇ ସ୍ଥିତି ପରଖିବେ । ବ୍ରିଜର ସ୍ଥିତିକୁ ଦେଖି ମରାମତି କରିବେ କିମ୍ବା ଅନ୍ୟ ପଦକ୍ଷେପ ନେବେ । ଅନ୍ୟ ରାଜ୍ୟରେ ବ୍ରିଜ ଭୁଶୁଡିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେପଟେ ରାଜ୍ୟରେ ବହୁ ପ୍ରମୁଖ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ଶେଷ ନ ହେବାକୁ ନେଇ ତାଗିଦ କରିଛନ୍ତି ମନ୍ତ୍ରୀ । କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି । ପୂର୍ତ୍ତ ବିଭାଗ କାର୍ଯ୍ୟଗୁଡିକର ଅଗ୍ରଗତିକୁ ନେଇ ଚତୁର୍ଥ ବୈଠକରେ ମନ୍ତ୍ରୀ ଏଭଳି ତାଗିଦ କରିଛନ୍ତି । ଯେଉଁ ପ୍ରକଳ୍ପ ୫୦ କୋଟିରୁ ଅଧିକ ସେ ସମ୍ପର୍କରେ ଆଲୋଚନା ହୋଇଛି । ନିର୍ମାଣ ସଂସ୍ଥାଗୁଡିକର କାମ ଓ ଇଂଜିନିୟରଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଛି । ଜାତୀୟ ରାଜପଥ, ବିଲ୍ଡିଂ, ରୋଡ ଆଦି ସବୁ ସମ୍ପର୍କରେ ସମୀକ୍ଷା କରାଯାଇଛି । ଗତ ମାର୍ଚ୍ଚ ମାସରେ ଶେଷ ଥର ପାଇଁ ସମୀକ୍ଷା ହୋଇଥିଲା । ଯେଉଁଥିରେ ସମୟ ଅନୁସାରେ କାର୍ଯ୍ୟ ସାରିବା ଓ କ୍ବାଲିଟି ମେଣ୍ଟେନ ପାଇଁ ଉଦ୍ୟମ କରାଯିବାକୁ ନିଷ୍ପତ୍ତି ହୋଇଛି । ଯେଉଁ ପ୍ରକଳ୍ପ ବିଳମ୍ବିତ ହେଉଥିଲା ତାହା ସମାଧାନ କରାଯାଉଛି ।

ରାଜ୍ୟରେ ପୋଲଠୁ ଆରମ୍ଭ କରି ରାସ୍ତାଘାଟ ଅବସ୍ଥା ଖରାପ ବୋଲି ଅଭିଯୋଗ ହୋଇଆସୁଛି । ଏପରିକି ବହୁ ପ୍ରକଳ୍ପ କାର୍ଯ୍ୟ ଠିକ ଭାବେ ହୋଇ ନଥିବାରୁ ତାହା ନଷ୍ଟ ହେଉଛି । ତେଣୁ ମନ୍ତ୍ରୀଙ୍କ ତାଗିଦ ଏସବୁ ଦିଗରେ କେତେ କାର୍ଯ୍ୟକାରୀ ହେଉଛି ତା’ ଉପରେ ରହିଛି ନଜର ।