ଏଣିକି ମୃତ୍ୟୁ କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ପରିବାର ଲୋକଙ୍କୁ ମିଳିବ ଅଧିକ ଆର୍ଥିକ ସହାୟତା

1 min read

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ଜିଆଇଏସ୍‌ ବା ଗୋଷ୍ଠୀ ବୀମା ଦେୟ ସଂଶୋଧନ କରାଯାଇଛି । କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରାଯାଇଛି । ପୂର୍ବରୁ ୪ ହଜାର ୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ୍‌-ପେ ପାଉଥିବା କର୍ମଚାରୀଙ୍କୁ GIS ବାବଦରେ ୭ ହଜାର ୫୦୦ ଟଙ୍କା ଦେବାକୁ ପଡୁଥିଲା । ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୫ ହଜାର ୪୦୦ ଟଙ୍କା ଓ ତା’ଠାରୁ ଅଧିକ ଗ୍ରେଡ୍‌ ପେ ପାଉଥିବା କର୍ମଚାରୀଙ୍କ GIS ବାବଦ ଦେୟ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ GIS ଦେୟ ପୂର୍ବ ପରି ୧୦ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ କଟାଯିବ।କର୍ମଚାରୀଙ୍କ ପାଇଁ GIS ଏକ ସାମାଜିକ ସୁରକ୍ଷା ଯୋଜନା ।

ଚାକିରିରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁ ହୁଏ, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ୪ ହଜାର ୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ଦେଢ଼ଲକ୍ଷ ଟଙ୍କା ଏବଂ ୫ ହଜାର ୪୦୦ ବା ତାଠାରୁ ଅଧିକ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁରେ ଅଢେଇ ଲକ୍ଷ ଟଙ୍କା ସହାୟତା ମିଳୁଥିଲା । ବର୍ତ୍ତମାନ ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ୪ ହଜାର ୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ୫ ହଜାର ୪୦୦ ବା ତା’ଠାରୁ ଅଧିକ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଅନ୍ତ୍ୟିଷ୍ଟି କ୍ରିୟା ପାଇଁ ସହାୟତା ରାଶି ପରିମାଣ ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ସରକାର ବଢ଼ାଇଲେ ମହଙ୍ଗା ଭତ୍ତା: ଜୁଲାଇରୁ ପିଛଲା ଭାବେ ଲାଗୁ ହେବ

Leave a Reply