ବିରୋଧ ଦେଖି ଛାନିଆ: ନାଁ ବଦଳା ସରକାର ବଦଳାଇ ଦେଲେ ନିଜ ମତ, ପରିବର୍ତ୍ତନ ହେବନି ରେଭେନ୍ସାର ନାମ

ଭୁବନେଶ୍ବର: ସରକାର ବଦଳିବା ପରେ ଓଡ଼ିଶାରେ ଚାଲିଛି ନାମ ପରିବର୍ତ୍ତନ ଓ ରଙ୍ଗ ବଦଳା ଶାସନ । ସରକାର ଗଠନର ୯ ମାସ ବିତି ଥିଲେ ବି ବିଜେପି ସରକାର ନିଜ ତରଫରୁ ରାଜ୍ୟ ପାଇଁ କିଛି କରିନାହାନ୍ତି । ହେଲେ ଏହି ସମୟ ମଧ୍ୟରେ ପୂର୍ବ ବିଜେଡି ସରକାରଙ୍କ ବହୁ ଯୋଜନାର ନାଁ ପରିବର୍ତ୍ତନ କରିବା ସହ ରଙ୍ଗ ବଦଳା ଶାସନ ଚଲାଇଛନ୍ତି । ଆଉ ଏହି ନାମ ପରିବର୍ତ୍ତନର ରାଜନୀତିରେ ବଳି ପଡ଼ିବାକୁ ଯାଉଥିଲା ଓଡ଼ିଶାର ଗର୍ବ ଓ ଗୌରବ ରେଭେନ୍ସା ବିଶ୍ବବିଦ୍ୟାଳୟ । ତେବେ ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଚାଲିଥିବା ବିବାଦରେ ପୂର୍ଣ୍ଣେଚ୍ଛେଦ ପକାଇଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ରେଭେନ୍ସାର ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖରେ ବିଚାରାଧୀନ ନଥିବା ସେ କହିଛନ୍ତି ।

ଆଜି ବିଧାନସଭାରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ସଂକ୍ରାନ୍ତରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନ କରିଥିଲେ । ଯାହାର ଲିଖିତ ଉତ୍ତର ଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଥିଲେ, ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁ ବଦଳିବ ନାହିଁ । ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଚାରାଧୀନ ନାହିଁ ।

ସୂଚନାଯୋଗ୍ୟ, କିଛି ମାସ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପାଇଁ ମତ ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ତେଜିଥିଲା । ରାଜ୍ୟ ରାଜନୀତି ବି ଉଷ୍ଣ ହୋଇଥିଲା । ବିରୋଧୀ ଦଳଙ୍କଠାରୁ ଆରମ୍ଭ କରି ଶିକ୍ଷାବିତ ଓ ରେଭେନ୍ସାର ପୂରାତନ ଛାତ୍ରଛାତ୍ରୀ ରେଭେନ୍ସାର ନାମ ପରିବର୍ତ୍ତନକୁ ଘୋର ବିରୋଧ କରିଥିଲେ । ହେଲେ ରାଜ୍ୟ ବିଜେପି ସେତେବେଳେ ଧର୍ମେନ୍ଦ୍ରଙ୍କ ସପକ୍ଷରେ ବାହାରିଥିଲା ।

ଓଡ଼ିଶାର ଐତିହ୍ୟ ବହନ କରୁଥିବା ଓ ଦେଶ ତଥା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରତିବାଦରେ ବିଭିନ୍ନ ମହଲରୁ ବିରୋଧ ଜୋରଦାର ହୋଇଥିଲା । ବିରୋଧକୁ ଦେଖି ଗତ କିଛି ଦିନ ହେବ ରାଜ୍ୟ ବିଜେପି ଏ ପ୍ରସଙ୍ଗ ଉଠାଉ ନଥିଲା । ଆଉ ଆଜି ବିଧାନସଭାରେ ମନ୍ତ୍ରୀ ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନଥିବା ସ୍ପଷ୍ଟ କରିଛି ।

ମନ୍ତ୍ରୀଙ୍କ ଉତ୍ତର ପରେ ପଲିଟିକାଲ କରିଡରରେ ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ରେଭେନ୍ସାକୁ ନେଇ ବିରୋଧ ଦେଖି, ନାଁ ବଦଳା ସରକାର ଛାନିଆରେ ନିଜ ମତ ବଦଳାଇ ଦେଲା ବୋଲି ଚର୍ଚ୍ଚା ଆରମ୍ଭ ହେଉଛି ।