ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ, ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ‘ବଜାର’

ଭୁବନେଶ୍ବର: ଦରଦାମ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଲ ହୋଇଥିବା ବେଳେ ଏବେ ବଜାର ଉପରୁ ବି ନିୟନ୍ତ୍ରଣ ହରାଇଛନ୍ତି । ଆଳୁ ସମସ୍ୟା ବ୍ୟାପକ ହେଉଥିବା ବେଳେ ଏହାର ସମାଧାନ କରିବା ତ ଦୂରର କଥା ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ସମାନତା ରକ୍ଷା କରିବାରେ ମଧ୍ୟ ସରକାର ବିଫଳ । ମନଇଚ୍ଛା ଦରରେ ବିକ୍ରି ହେଉଛି ଆଳୁ । ଯାହାକୁ ନେଇ ସାଧାରଣ ଲୋକଙ୍କ ସମେତ ରାଜ୍ୟ ବ୍ୟବସାୟୀ ମହାସଂଘ ମଧ୍ୟ ଅସନ୍ତୋଷ ଝାଡିଛନ୍ତି । ଏକ ସ୍ୱତନ୍ତ୍ର ପଲିସି ଆଣିବା ସହ ବଜାର ଦର ଉପରେ ନିୟନ୍ତ୍ରଣ ଆଣିବାକୁ ଦାବି ଜୋର ଧରିଛି ।

ଆଳୁ କେଉଁଠି ୪୦ ଟଙ୍କାରେ ବିକ୍ରି ହେଉଛି ତ ଆଉ କେଉଁଠି ୪୫ ଓ ଆଉ କେଉଁଠି ୫୦ ଟଙ୍କାରେ ବିକ୍ରି ହେଉଛି । ବାଇଗଣ ୪୦ରୁ ୫୦, ବିନ୍ସ ୫୦ରୁ ୬୦, ପିଆଜ ୪୦ରୁ ୬୦ ଟଙ୍କା ପ୍ରତି କେଜି ଦର ରହିଛି । ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଓ ପନିପରିବାର ଦର ଏବେ ଉପରମୁହାଁ । ଯିଏ ଯେଉଁଠି ପାରିଲା ମନଇଚ୍ଛା ଦରରେ ବିକଛନ୍ତି । ଆଳୁ ସଂକଟର ସମାଧାନ କରିବାରେ ବିଫଳ ରାଜ୍ୟ ସରକାର ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ସମାନତା ଆଣିପାରିନାହାନ୍ତି । ବଜାରରେ ଏବେ ପରିବା ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ହେଉଥିଲେ ମଧ୍ୟ କ୍ଷୁଦ୍ର ବ୍ୟବସାୟୀ ତାଙ୍କ ଇଚ୍ଛା ମୁତାବକ ଦରରେ ବିକ୍ରି କରୁଛନ୍ତି । ବଜାର ଦର ଉପରେ ଯୋଗାଣ ବିଭାଗର ଆଦୌ ନିୟନ୍ତ୍ରଣ ନାହିଁ, ବରଂ ବର୍ଦ୍ଧିତ ଦରଦାମକୁ ନେଇ ଲୋକଙ୍କୁ ଅଭ୍ୟସ୍ତ କରି ଦିଆଯାଇଛି । ଏହାକୁ ନେଇ ସାଧାରଣ ଗ୍ରାହକ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ।

ବଜାରରେ ବଡ଼ ବ୍ୟବସାୟୀ ଠିକ ଦରରେ ପନିପରିବା ବିକୁଥିବା କହିବା ସହ ଆଳୁ ଦର କିନ୍ତୁ ଉଚ୍ଚା ରହିଥିବା କହିଛନ୍ତି । କ୍ଷୁଦ୍ର ବ୍ୟବସାୟୀମାନେ ମନଇଚ୍ଛା ଦରରେ ଆଳୁ, ପିଆଜ, ରସୁଣ, ଅଦା ଓ ପନିପରିବା ବିକ୍ରି କରୁଛନ୍ତି । ଯାହା ଉପରେ ସରକାର ନିୟନ୍ତ୍ରଣ ରଖିବା ଦରକାର ବୋଲି କୁହାଯାଇଛି । ସେପଟେ ରାଜ୍ୟ ବ୍ୟବସାୟୀ ମହାସଂଘ ମଧ୍ୟ ଗ୍ରାହକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ମାର୍କେଟ ପଲିସି ଆଣିବା ସହ ବଜାର ଉପରେ ନଜର ରଖିବାକୁ ଦାବି କରିଛନ୍ତି । ଏହି ଦାୟିତ୍ୱ ସରକାରଙ୍କର ତାହା କ’ଣ ସରକାରଙ୍କୁ ଶିଖାଇବାକୁ ପଡିବ କି ବୋଲି ପ୍ରଶ୍ନ କରିଛି ମହାସଂଘ ।

ସରକାର ନା ଦରଦାମ ନିୟନ୍ତ୍ରଣ କରିବାକୁ କିଛି ଉଦ୍ୟମ କରୁଛନ୍ତି ନା ଆଳୁ ସଙ୍କଟ ସମାଧାନ ପାଇଁ ଆଗ୍ରହ ଦେଖାଉଛନ୍ତି । ଜନତାଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ସରକାରଙ୍କ ରହିଛି ଉଦାସୀନ ମନୋଭାବ । ଏହାକୁ ନେଇ ତୃଣମୂଳ ସ୍ତରରେ ଅସନ୍ତୋଷ ତେଜିବାରେ ଲାଗିଛି ।