ଶିଶୁବାଟିକା ଖୋଲି ସରକାର ନିଜେ ଫସିଲେ, ପିଲାଙ୍କୁ ଫସାଇଲେ

ଭୁବନେଶ୍ବର: ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଖୋଲି ସରକାର କେବଳ ଫସିଲେ ନାହିଁ, କୁନି କୁନି ପିଲାଙ୍କୁ ବି ଫସାଇ ଦେଲେ। ଆବଶ୍ୟକ ଭିତ୍ତିଭୂମି ଓ ଶିକ୍ଷକ ନଥାଇ କିପରି ଏହି ପଦକ୍ଷେପ ନେଲେ ତାହାକୁ ନେଇ ଉଠିଛି ପ୍ରଶ୍ନ । ଶିଶୁ ବାଟିକା ପିଲାଙ୍କ ଦାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ କରିଛି ପ୍ରାଥମିକ ଶିକ୍ଷକ ସଂଘ । ସରକାର ଶିଶୁ ବାଟିକା ଖୋଲି, ଖଡ଼ି ଛୁଆଁଇ ଚୁପ ବସିଗଲେ । ହେଲେ ଏହାକୁ ନେଇ ସାରା ରାଜ୍ୟରେ ସୃଷ୍ଟି ହୋଇଛି ଅସନ୍ତୋଷ ।
ଯେତେ କହିଲେ ବି ଶୁଣିଲେନି । ଜିଦରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟରେ ଖୋଲିଲେ ଶିଶୁ ବାଟିକା । ଖଡ଼ି ଛୁଆଁ ଉତ୍ସବରେ ପ୍ରଚାର ପ୍ରସାର କରି ଅଯଥା ଖର୍ଚ୍ଚ କଲେ । ପିଲା ମଧ୍ୟ ଉତ୍ସାହିତ ହୋଇ ନାମ ଲେଖାଇଲେ । ଏବେ ଖୋଦ ଯେଉଁ ଶିକ୍ଷକମାନେ ପଢ଼ାଇବେ ସେମାନେ ପ୍ରଶ୍ନ କଲେଣି ଆମେ କେମିତି ପଢ଼ାଇବୁ । ଶ୍ରେଣୀ ଗୃହ କାହିଁ । ଶିଶୁ ବାଟିକାକୁ ନେଇ ରାଜ୍ୟରେ ଏଭଳି ଚିତ୍ର କୁନି କୁନି ପିଲା ଓ ଅଭିଭାବକଙ୍କ ମୁଣ୍ଡ ଗୋଲ କରିଦେଇଛି । ଶିକ୍ଷକ ସଂଘର କହିବା କଥା ଯେଉଁ ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚଟି ଶ୍ରେଣୀ ଥିଲା ସେଠି ଶିଶୁ ବାଟିକା ଖୋଲିବା ପରେ ଆଉ ଗୋଟିଏ ଶ୍ରେଣୀ ବଢି ଛଅଟି ଶ୍ରେଣୀ ହେଲା । ସେହିପରି ଯେଉଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଠଟି ଶ୍ରେଣୀ ଥିଲା ସେଠି ୯ଟି ଶ୍ରେଣୀ ହେଲା । ତେଣୁ ଏବେ ପୂର୍ବ ଭିତ୍ତିଭୂମିରେ ଏହି ଶିଶୁ ବାଟିକା ପିଲା ବସି ପଢିବେ କେଉଁଠି । ସେପଟେ ସ୍କୁଲମାନଙ୍କରେ ଏତିକି ଶ୍ରେଣୀରେ ପଢ଼ାଇବାକୁ ଆବଶ୍ୟକ ଶିକ୍ଷକ ନଥିବା ବେଳେ ଏହି କୁନି ପିଲାଙ୍କୁ ପଢ଼ାଇବ କିଏ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସିଧାସଳଖ ସରକାରଙ୍କୁ ଏହି ପ୍ରଶ୍ନ କରିଛି । ଏପରିକି ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଯେଉଁମାନେ ଏହାକୁ କାର୍ଯ୍ୟକାରୀ କରିବେ ସେମାନଙ୍କ ସହ ଆଲୋଚନା ନକରି ଏହି ନୀତି ଲାଗୁ କଲେ ପିଲାମାନେ ହଇରାଣ ହେବେ ଓ ଶିକ୍ଷା ଗଭୀର ଭାବେ ପ୍ରଭାବିତ ହେବ ।
ଅଭିଭାବକ ମହାସଂଘ ମଧ୍ୟ ସରକାରଙ୍କ ଏଭଳି ଜିଦଖୋର ମନୋଭାବ ଓ ସ୍ଥିତିକୁ ନ ବୁଝି ଏକପାଖିଆ ନିଷ୍ପତ୍ତିକୁ କଡା ସମାଲୋଚନା କରିଛି । ନିଜର ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ ଛୋଟ ପିଲା ଓ ଅଭିଭାବକଙ୍କ ସହ ଖେଳ ଖେଳା ଯାଉଥିବା ଅଭିଯୋଗ ହୋଇଛି । ଖୋଦ ଶିକ୍ଷକମାନେ ପିଲାଙ୍କୁ କେମିତି ପଢ଼ାଇବେ ବୋଲି ପ୍ରଶ୍ନ କରିଥିବାରୁ ଏବେ ପିଲାଙ୍କ ଭାଗ୍ୟ କ’ଣ ହେବ ବୋଲି ପ୍ରଶ୍ନ ଉଠିଛି । ସେପଟେ ରାଜ୍ୟର ଶିକ୍ଷାର ସ୍ଥିତି, ଲୋକଙ୍କ ଜୀବନଧାରଣ ମାନକୁ ନ ଦେଖି ମନଇଚ୍ଛା ଜାତୀୟ ଶିକ୍ଷା ନୀତିକୁ ପିଲାଙ୍କ ଉପରେ ଲଦିଦେବା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବ୍ୟାପକ କ୍ଷତି ପହଞ୍ଚାଇବ ବୋଲି କୁହାଯାଇଛି ।
ଶିକ୍ଷା ବ୍ୟବସ୍ଥା ସହ ଜଡିତ କୌଣସି ଅଂଶୀଦାରଙ୍କ ସହ ଆଲୋଚନା ନ କରି ମନଇଚ୍ଛା ଜିଦରେ ସରକାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି । ଯେଉଁ ପିଲା ଶିଶୁ ବାଟିକାରେ ଆଡ଼ମିଶନ କରୁଛନ୍ତି ସେମାନେ କିଭଳି ଓ କେମିତି ପଢିବେ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।