ଏଣିକି ଯାତ୍ରୀବାହୀ ଯାନ ବାହାନରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ବାଧ୍ୟତାମୂଳକ

1 min read

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେବ VTS ବ୍ୟବସ୍ଥା । ଅଟୋ ଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଯାନବାହାନରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ହେବ ବାଧ୍ୟତାମୂଳକ । ଏହାଦ୍ବାରା ଗାଡ଼ିର ଅବସ୍ଥିତି ସହିତ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ମିଳିପାରିବ ତଥ୍ୟ । ଦେଶରେ ତୃତୀୟ ରାଜ୍ୟ ଭାବେ ଓଡିଶାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି  । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ଲାଗୁ ହେବ ଭିଟିଏସ୍ ବ୍ୟବସ୍ଥା । କେରଳ ଓ ଉତ୍ତରାଖଣ୍ଡ ପରେ ଦେଶରେ ତୃତୀୟ ରାଜ୍ୟ ଭାବେ ଓଡିଶାରେ ଲାଗୁ ହେବ ଏହି ବ୍ୟବସ୍ଥା । ପରିବହନ ବିଭାଗ ପକ୍ଷରୁ ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଯାତ୍ରୀ ପରିବହନ କରୁଥିବା ଅଟୋ ଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ସବୁ ଗାଡିରେ ଲାଗିବ ଅଟୋମେଟିଭ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆାଇଏସ୍-୧୪୦) ମାନଦଣ୍ଡର ସିଷ୍ଟମ୍ ରହିବ ।

ଏଥିପାଇଁ ମୋଟ ୧୫କୋଟି ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଆଇଟି କମ୍ପାନୀ ଓ୍ବିପ୍ରୋ ସହିତ ଆଲୋଚନା ହୋଇଥିବା ବେଳେ ସିଷ୍ଟମକୁ ଗାଡି ମାଲିକଙ୍କୁ କିଣିବାକୁ ପଡିବ । ସିମ୍ ଯୁକ୍ତ ମେସିନ୍ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ । ସେଣ୍ଟ୍ରାଲ ସର୍ଭର କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ସହ ସିଷ୍ଟମ୍ ଯୋଗାଉଥିବା କମ୍ପାନୀ ସହ ପରିବହନ ବିଭାଗର ବାହାନ ଆପ୍ଲିକେସନ୍ ସହିତ ସଂଯୋଗ କରାଯିବ । ମହିଳା ଯାତ୍ରୀଙ୍କ ସିଟ୍ ନିକଟରେ ଜରୁରୀ ବଟନ ବ୍ୟବସ୍ଥା ରହିବ । ଫଳରେ ସମସ୍ତ ଗାଡିର ଅବସ୍ଥିତି ଓ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କିତ ବିସ୍ତୃତ ତଥ୍ୟ କଣ୍ଟ୍ରୋଲ ରୁମରେ ରହିବ । ଏହି ବ୍ୟବସ୍ଥା ଦ୍ବାରା ଘାଟିରେ ଗାଡି ଦୁର୍ଘଟଣାଗ୍ରସ୍ତ ହେଲେ ଅଗ୍ନିଶମ ଓ ପୋଲିସର ସହାୟତା ଉପଲବ୍ଧ ହୋଇପାରିବ । ଏଣୁ ଉଭୟ ଅଟୋ ଓ ବସ୍ ମାଲିକ ସରକାରଙ୍କ ଏହି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି । ତେବେ ସମ ଦୂରତାରେ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଗଲେ ଏହି ବ୍ୟବସ୍ଥା ସଫଳ ରୁପାୟନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

ଭିଟିଏସ୍ କାର୍ଯ୍ୟକାରୀ କରିଥିବା ଦୁଇ ରାଜ୍ୟ କେରଳ ଓ ଉତ୍ତରାଖଣ୍ଡକୁ ରାଜ୍ୟ ସରକାରଙ୍କ ଏକ ଟେକ୍ନିକାଲ ଟିମ୍ ଫେବୃଆରୀରେ ଯିବେ । ଜୁନରେ ଟେଣ୍ଡର ଓ ନଭେମ୍ବର ସୁଦ୍ଧା ଟେଷ୍ଟିଂ ସାରି ଡିସେମ୍ବର ୧୫ରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave a Reply