ଭବ୍ୟ ସ୍ୱାଗତ ପରେ ପୁରସ୍କାରର ବର୍ଷା: ଅଲିମ୍ପିକ୍ସ ସଫଳତା ପାଇଁ ହକି ଖେଳାଳିଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭବ୍ୟ ସ୍ୱାଗତ ପରେ ପୁରସ୍କାରର ବର୍ଷା । ଲୋକସେବା ଭବନରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଅବସରରେ ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଲ ରକ୍ଷା ପାଇଁ ଗୋଲକିପର ସବିତା ପୁଣିଆଙ୍କୁ ୫ ଲକ୍ଷ, ବେଷ୍ଟ ଡିଫେଣ୍ଡର ଭାବେ ଦୀପଗ୍ରେସ ଏକ୍କାଙ୍କୁ ୫ ଲକ୍ଷ, ସୁଶୀଳା ଚାନୁଙ୍କୁ ୫ ଲକ୍ଷ, ଗୋଲ ଆସିଷ୍ଟ ପାଇଁ ରାଣୀ ରାମପାଲ ଓ ନବନିତ କୌରଙ୍କୁ ୫ ଲକ୍ଷ। ଗୁରଜିତ କୌର ଏବଂ ବନ୍ଦାଣ କାଟେରିଆଙ୍କୁ ସର୍ବାଧିକ ଗୋଲ ପାଇଁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି ।

ସେହିପରି ଅଧିକ ଗୋଲ ରକ୍ଷା କରିଥିବାରୁ ଶ୍ରୀଜେସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଡିଫେନ୍ସ ପାଇଁ ରୂପିନ୍ଦର ପାଲଙ୍କୁ ୫ଲକ୍ଷ, ହରମନ ପ୍ରୀତ ସିଂହଙ୍କୁ ସର୍ବାଧିକ ଗୋଲ ଓ ମିଡ ଫିଲଡ଼ରେ ଭଲ ପାଇଁ ୧୦ ଲକ୍ଷ ଓ ମିଡ ଫିଲ୍ଡରେ ଭଲ ପ୍ରଦର୍ଶନ ପାଇଁ ଅମିତ ରୋହି ଦାସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଏଥିସହ ପ୍ରତ୍ୟେକ ମହିଳା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ଦଳର ସହଯୋଗୀ କାର୍ଯ୍ୟକର୍ତ୍ତାଙ୍କୁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି ।

ସେପଟେ ଅଭୂତପୂର୍ବ ସ୍ୱାଗତରେ ଅଭିଭୂତ ହେବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ଖେଳାଳି । କହିଛନ୍ତି ଓଡ଼ିଶାବାସୀଙ୍କ ଭଲ ପାଇବା ଆଉ କେଉଁଠି ବି ମିଳେନି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆମେ ଓଡ଼ିଶାରେ ଖେଳିଛୁ । ଗତ କିଛି ବର୍ଷ ହେଲା ଓଡ଼ିଶା ହକି ଇଣ୍ଡିଆର ମେରୁଦଣ୍ଡ ହୋଇ ରହିଛି । ଆଜି ଯଦି ଟୋକିଓରେ ଇଣ୍ଡିଆନ ହକି ଟିମ ମେଡାଲ ପାଇଛି କିମ୍ବା ମହିଳା ଟିମ ୪ର୍ଥ ସ୍ଥାନରେ ଫିନିସ କରିଛି ତାର ସବୁ ଶ୍ରେୟ ରାଜ୍ୟ ସରକାରଙ୍କର ।

ଓଡ଼ିଶାର ଭଲ ପାଇବା ଓ ସହଯୋଗ ପାଇଁ ହକି ଇଣ୍ଡିଆ ବହୁତ ଆଗକୁ ଯାଇଛି। ନିରନ୍ତର ଭାବେ ଓଡ଼ିଶା ସରକାର ସହଯୋଗ ଓ ପ୍ରୋତ୍ସାହନ କରୁଛନ୍ତି । କ୍ରିକେଟରେ ଗ୍ଲାମର ଥିବାରୁ ସମସ୍ତେ କ୍ରିକେଟ ପଛରେ ଦୌଡୁ ଥିଲେ । ହେଲେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ହକିକୁ ଆଗେଇ ନେବାକୁ ଆଗକୁ ଆସିଥିଲା । ଯାହା ଦ୍ୱାରା ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ କୀର୍ତ୍ତିମାନ ରଚିଛି ଭାରତୀୟ ହକି ଦଳ ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ଆସିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ: ଶୁଭେଚ୍ଛା ଜଣାଇଲେ ଫଟୋ ଉଠାଇଲେ

Leave a Reply