ଦରଦାମ ନିୟନ୍ତ୍ରଣରେ ସରକାର ବିଫଳ, ଏଣିକି ଚାଷୀଙ୍କଠାରୁ ସିଧାସଳଖ ସାମଗ୍ରୀ କିଣିବ ରାଜ୍ୟ ବ୍ୟବସାୟୀ ସଂଘ

ଭୁବନେଶ୍ବର: ଦୀର୍ଘ ୫ ମାସ ହୋଇଗଲାଣି ଦରଦାମ ବଢ଼ି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ସବୁଜ ପନିପରିବା ଦର ୮୦ରୁ ଶହେ ପାର କରିସାରିଲାଣି । ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ଶାସକ ଦଳର କୁହାଳିଆ ନେତାଙ୍କର ନାହିଁ ଆନ୍ତରିକତା । ଏମିତି ସ୍ଥିତିରେ ନିଦା ବିଷ୍ଣୁ ସାଜିଥିବା ରାଜ୍ୟ ସରକାରଙ୍କୁ କଡ଼ା ଜବାବ ଦେବା ସହ ଚରମ ନିଷ୍ପତ୍ତି ଶୁଣାଇଛି ରାଜ୍ୟ ବ୍ୟବସାୟୀ ସଂଘ । ଏଣିକି ମିଡଲ ମ୍ୟାନଙ୍କୁ ହଟାଇ ଚାଷୀଙ୍କ ଠାରୁ ସିଧାସଳଖ ସାମଗ୍ରୀ କିଣିବାକୁ ସଂଘ ନେଇଛି ନିଷ୍ପତ୍ତି ।

ଜୁନ ମାସରେ ଆଳୁ କିଲୋ ଥିଲା ୨୦ ଟଙ୍କା ଏବେ ୩୫

ପିଆଜ ଥିଲା ୨୫ ଏବେ ୬୫ରୁ ୭୦

ହରଡ଼ ଡାଲି ଥିଲା ୧୩୦ ଏବେ ୧୮୦

ମୁଗ ଡାଲି ଥିଲା ୧୦୦ ଏବେ ୧୨୫

ବିରି ଡାଲି ୧୨୦ରୁ ୧୪୫

ସୋରିଷ ତେଲ ୧୫୦ରୁ ୧୮୦ ଓ ରିଫାଇନ ୧୧୪ରୁ ୧୪୪

ସବୁଜ ପନିପରିବା ଦର ୮୦ରୁ ୧୦୦ ଉପରେ

ଏ ହେଉଛି ରାଜ୍ୟରେ ଆଜିକା ରେଟ୍ । ହେଲେ ରାଜ୍ୟର ବିଜେପି ସରକାର ଦରଦାମ କମାଇବାରେ ନା ସଫଳ ହେଉଛନ୍ତି, ନା କୌଣସି ପଦକ୍ଷେପ ନେଉଛନ୍ତି । ଦରଦାମ ନିୟନ୍ତ୍ରଣ ଓ ଉତ୍ପାଦନ ବଢ଼ାଇବା ପାଇଁ ଉଦ୍ୟମ କରିବାକୁ ଦାବି ହେଉଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି ସରକାର । ହେଲେ ସାଧାରଣ ଲୋକଙ୍କ ଏମିତି ପକେଟ ଖାଲି ହେବା ରାଜ୍ୟ ବ୍ୟବସାୟୀ ସଂଘକୁ ବାଧୁଛି । ଏଥିପାଇଁ ରାଜ୍ୟର ୩୦ ଜିଲ୍ଲା ଓ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ବ୍ୟବସାୟୀ ସଂଘ । ବିଭିନ୍ନ କୃଷକ ସଂଗଠନ ସହ ଆଲୋଚନା କରାଯାଇ ଚାଷୀ ବ୍ୟବସାୟୀଙ୍କୁ ନେଇ ସେମିନାର କରିବ ସଂଘ । ନଭେମ୍ବର ଶେଷ ସପ୍ତାହରେ ଅଭିଯାନ ଆରମ୍ଭ ହୋଇ ଦେଢ଼ ମାସ ଧରି ଚାଲିବ । ପନିପରିବା ଦର ନିୟନ୍ତ୍ରଣ ପାଇଁ ସିଧାସଳଖ ଚାଷୀଙ୍କଠାରୁ କିଣି ଗ୍ରାହକଙ୍କ ନିକଟରେ ପହଞ୍ଚାଇବେ । ଦରଦାମ ନିୟନ୍ତ୍ରଣ ସମ୍ପର୍କରେ କଥାବାର୍ତ୍ତା ପାଇଁ ବିଭାଗୀୟ ମନ୍ତ୍ରୀଙ୍କର କୌଣସି ଆନ୍ତରିକତା ନ ଥିବା କହିଛନ୍ତି ସଂଘ ମହାସଚିବ ସୁଧାକର ପଣ୍ଡା । ଲୋକଙ୍କ ଭୋଟର ମୂଲ୍ୟ ସରକାର ଦେବାକୁ ଦାବି ରଖିଛି ସଂଘ ।

ରାଜ୍ୟରେ ପରିବା ଉତ୍ପାଦନ ବୃଦ୍ଧି ଓ ସେସବୁର ସଂରକ୍ଷଣ କରିବାକୁ କାର୍ଯ୍ୟ କରିବ ରାଜ୍ୟ ବ୍ୟବସାୟୀ ସଂଘ । ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଓ ଚାଷ ପାଇଁ ବ୍ୟାଙ୍କ ଜରିଆରେ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ । ଚାଷୀଙ୍କ ସହ ସିଧାସଳଖ ବ୍ୟବସାୟୀ ସଂଘ ଏଗ୍ରିମେଣ୍ଟ କରିବ । ଗ୍ରାହକ କିପରି ଶସ୍ତାରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବେ ସେଥିପାଇଁ ବଡ଼ ପଦକ୍ଷେପ ନେବାକୁ ଘୋଷଣା କରିଛି ରାଜ୍ୟ ବ୍ୟବସାୟୀ ସଂଘ । ସେପଟେ ଦରଦାମ ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ସରକାରଙ୍କ ଉଦାସୀନତାକୁ ନେଇ ଆକ୍ରୋଶ ଜାହିର କରିଛନ୍ତି ଖାଉଟି । ଛୋଟ ବ୍ୟବସାୟୀମାନେ ମଧ୍ୟ ଏଭଳି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବା ବଦଳରେ ଦୋଷ ଦେଇ ଖସିଯିବାକୁ ବସିଥିବା ଫୋରମ ଅଭିଯୋଗ କରିଛି ।

ଲଗାତର ଭାବେ ପାଞ୍ଚ ମାସ ଧରି ଦର ବୃଦ୍ଧି ଘଟି ଚାଲିଛି । କିନ୍ତୁ ବାହାରି ପାରୁନି ସମାଧାନର ବାଟ । ବ୍ଯବସାୟୀ ସଂଘର ଦାବିକୁ ଅଣଦେଖା କରି ଚାଲିଛନ୍ତି ସରକାର । ଏ ନେଇ ଅସନ୍ତୋଷ ତେଜିଲେ ବି ସରକାର ବେଫିକର ।