ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କଲେ ରାଜ୍ଯ ସରକାର

ବାଲେଶ୍ବର: ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ରାଜ୍ଯ ସରକାର । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହ ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା ସହାୟତା । ସେହିପରି ଆଂଶିକ ଭାବେ କ୍ଷତିଗ୍ରସ୍ତ ପକ୍କା ବାସଗୃହର ମରାମତି ନିମନ୍ତେ ୬ ହଜାର ୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଗୃହ ପାଇଁ ୪ ହଜାର, ଭାଙ୍ଗିଯାଇଥିବା କୁଡିଆ ଘର ପିଛା ୮ ହଜାର ଓ ଭାଙ୍ଗିଯାଇଥିବା ଗୁହାଳ ଘର ପାଇଁ ୩ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।

ପରିବାର ବାସଗୃହ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲେ କିମ୍ବା ୨ ଦିନ ଧରି ବନ୍ୟାଜଳରେ ବୁଡ଼ି ରହିଥିଲେ ଲୁଗାପଟା ପାଇଁ ୨୫ଶହ ଟଙ୍କା ଓ ବାସନ କୁସନ ପାଇଁ ମଧ୍ଯ ୨୫୦୦ ଟଙ୍କା ଆର୍ଥିକ ସହାୟତାରାଶି ଯୋଗାଇ ଦିଆଯିବ । ସେହିପରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଫସଲ କ୍ଷୟକ୍ଷତିର ଭରଣା ନିମନ୍ତେ ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮ ହଜାର ୫୦୦, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଓ ସମସ୍ତ ପ୍ରକାର ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ସହାୟତା ସର୍ବାଧିକ ୨ ହେକ୍ଟର ପାଇଁ ଯୋଗାଇ ଦିଆଯିବ ।

ସେହିଭଳି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୩ ଇଞ୍ଚରୁ ଅଧିକ ବାଲିଚର ସହାୟତା ହେକ୍ଟର ପିଛା ୧୮ ହଜାର ଓ ସର୍ବନିମ୍ନ ୨୨୦୦ ଟଙ୍କା ଯୋଗାଇ ଦିଆଯିବ । ମାଛଚାଷ ପୋଖରୀର ମରାମତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮ ହଜାର, ସର୍ବନିମ୍ନ ୨୨୦୦ ଟଙ୍କା ଦିଆଯିବ । ଭୂସ୍ଖଳନ ଓ ନଦୀର ଗତିପଥ ପରିବର୍ତ୍ତନ ଯୋଗୁ ଚାଷଜମି କ୍ଷୟ ହୋଇଥିଲେ ହେକ୍ଟର ପିଛା ୪୭,୦୦୦ ଟଙ୍କା ଦିଆଯିବ । ଏଥିପାଇଁ ଚାଷୀ ପିଛା ସର୍ବନିମ୍ନ ୫୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

ମତ୍ସ୍ୟଜୀବୀ ମାନଙ୍କ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬ ହଜାର, ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩ ହଜାର, ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫ ହଜାର, ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪ ହଜାର ଓ ମତ୍ସ୍ୟ ଯାଆଁଳ ଚାଷ କ୍ଷତି ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଯିବ । ମୃତ ଗୃହପାଳିତ ପଶୁ ଯଥା ମଇଁଷି, ଗାଈ ପିଛା ୩୭ ହଜାର ୫୦୦ ଟଙ୍କା, ଛେଳି ବା ମେଣ୍ଢା ପିଛା ୪ ହଜାର ଟଙ୍କା, ଭାରବାହୀ ପଶୁ ଯଥା ବଳଦ, ମଇଁଷି, ଘୋଡ଼ା ପିଛା ୩୨ ହଜାର,  ବାଛୁରୀ, ଗଧ ଏବଂ ଖଚର ପିଛା ୨୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।

ଏହି ସହାୟତା ରାଶି ଗୋଟିଏ ପରିବାରର ୩ଟି ବଡ଼ ଦୁଗ୍ଧ ପ୍ରଦାନକାରୀ ପଶୁ ବା ୩୦ଟି ଛୋଟ ଦୁଗ୍ଧ ପ୍ରଦାନକାରୀ ପଶୁ କିମ୍ବା ୩ଟି ବୃହତ ଭାରବାହୀ ପଶୁ ବା ୬ଟି ଛୋଟ ଭାରବାହୀ ପଶୁଙ୍କ ପର୍ଯ୍ୟନ୍ତ ସିମିତ ରହିବ । ହସ୍ତଶିଳ୍ପ, ହସ୍ତତନ୍ତ କାରିଗରମାନଙ୍କୁ ଯନ୍ତ୍ରାଂଶ ନଷ୍ଟ ବା ପ୍ରତିସ୍ଥାପନ ପାଇଁ ଗ୍ରାମୀଣ କାରୀଗର ପିଛା ୫ ହଜାର ଟଙ୍କା ଓ ବିଭିନ୍ନ ଆନୁସଙ୍ଗିକ ଦ୍ରବ୍ୟ ପାଇଁ ଗ୍ରାମୀଣ କାରୀଗର ପିଛା ୫ ହଜାର ଟଙ୍କା ଦିଆଯିବ ।