ରଙ୍ଗ ବଦଳା ସରକାର: ବସ୍, ଓମଫେଡ, ପାଚେରୀ ପରେ ସ୍କୁଲ ପାଳି, ଲୋକଙ୍କ ପ୍ରଶ୍ନ କି ଲାଭ ପାଉଛ ?

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଆସିବା ପରେ ବସ, ଓମଫେଡ କ୍ଷୀର ପ୍ୟାକେଟ ଓ ରାସ୍ତାର ପାଚେରୀ ରଙ୍ଗ ବଦଳିବା ପରେ ଏବେ ଶିକ୍ଷାନୁଷ୍ଠାନକୁ ଦିଆଯାଉଛି ଗେରୁଆ ରୂପ । ରାଜ୍ୟର କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଗୈରିକ ରୂପ ଧାରଣ କରୁଛି । କେନ୍ଦ୍ରୀୟ ବିଦ୍ୟାଳୟଗୁଡିକର ପାଚେରୀ ଠାରୁ ଆରମ୍ଭ କରି କାନ୍ଥ ଗେରୁଆ ରଙ୍ଗରେ ସଜେଇ ହୋଇଛି । ରାଜ୍ୟର ନୂଆ ବିଜେପି ସରକାର ରଙ୍ଗ ଓ ନାମ ପରିବର୍ତ୍ତନକୁ ନେଇ ବିବାଦରେ ରହିଥିବା ବେଳେ ଏବେ କେନ୍ଦ୍ରୀୟ ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନକୁ ନେଇ ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଛି ।

ବସ୍, ଓମଫେଡ ଓ ପାଚେରୀରେ ଗେରୁଆ ରଙ୍ଗ ପରେ ଏବେ ଶିକ୍ଷାରେ ଗୈରିକୀକରଣ । ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ରଙ୍ଗ ପରିବର୍ତ୍ତନ ପ୍ରକ୍ରିୟାକୁ ଆଉ ପାଦେ ଆଗକୁ ନେଇଛି । ଅଭିଭାବକମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଜେପି ସରକାରକୁ କଡା ସମାଲୋଚନା କରିଛି ଉତ୍କଳ ଅଭିଭାବକ ସଂଘ । ବିଜେପି ସରକାର ଆସିବା ପରେ କେବଳ ନାଁ ଓ ରଙ୍ଗ ପରିବର୍ତ୍ତନ ହିଁ ଚାଲିଛି । କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ଗେରୁଆ ରଙ୍ଗ ଲାଗୁଛି । ରଙ୍ଗ ଓ ନାଁ ପରିବର୍ତ୍ତନ ହେଲେ କ’ଣ ଶିକ୍ଷାର ବିକାଶ ଓ ଶିକ୍ଷାର ମାନରେ ବୃଦ୍ଧି ହୁଏ କି ବୋଲି ପ୍ରଶ୍ନ କରିଛି ସଂଘ । ବର୍ଷକୁ ଦୁଇ କୋଟି ଟଙ୍କା କେନ୍ଦ୍ରୀୟ ବିଦ୍ୟାଳୟକୁ ଦିଆଯାଉଥିବା କୁହାଯାଉଥିବାବେଳେ ଶିକ୍ଷାର ବିକାଶ କେଉଁଠି ହେଉଛି ? କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକଙ୍କର ଘୋର ଅଭାବ ରହିଛି । ଠିକା ଶିକ୍ଷକରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁଥିବା ଅଭିଯୋଗ ହୋଇଛି । ଏଭଳି ସମୟରେ ରଙ୍ଗ ବଦଳାଇବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛି ସଂଘ । ଇତିହାସରେ ନିଜର ନାଁକୁ ରଖିବା ପାଇଁ ବିଜେପି ସରକାର ରଙ୍ଗ ଓ ନାଁ ବଦଳାଉଛି ବୋଲି ସଂଘ ଅଭିଯୋଗ କରିଛି । ଅଭିଭାବକ ସଂଘ ଏହାକୁ ଜୋରଦାର ବିରୋଧ କରିବ ବୋଲି ଚେତାବନୀ ଦେଇଛି । ସେପଟେ ଅଭିଭାବକ ବି ରଙ୍ଗ ବଦଳରେ ଶିକ୍ଷାର ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ।

ସରକାରଙ୍କ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ଶିକ୍ଷାବିତ୍ । ବିଦ୍ୟାଳୟ ଗୁଡିକରେ ଉନ୍ନତ ମାନର ଶିକ୍ଷା ପାଇଁ ଆହୁରି ଦୃଢ଼ ଭିତ୍ତିଭୂମି, ଆବଶ୍ୟକ ଶିକ୍ଷକ ନିଯୁକ୍ତି ଓ ଅନ୍ତର୍ଜାତୀୟ ସ୍ତରର ପିଲାଙ୍କ ସହ ଭାବ ବିନିମୟ କାର୍ଯ୍ୟକୁ ବ୍ୟାପକ କରାଯିବା ଆବଶ୍ୟକ । ତା’ପରେ ରଙ୍ଗ ମାରିଲେ କିଛି ଅସୁବିଧା ନାହିଁ ବୋଲି କୁହାଯାଇଛି । ଏ ପ୍ରସଙ୍ଗକୁ ନେଇ ସିଟିଜେନସ ଫୋରମ ମଧ୍ୟ ସମାଲୋଚନା କରିଛି । ଲୋକଙ୍କ ଅର୍ଥକୁ ସଠିକ ଭାବେ ଶିକ୍ଷାର ବିକାଶ ପାଇଁ ବ୍ୟବହାର ନ କରି ବାହ୍ୟ ଚାକଚକ୍ୟ ବା ଗେରୁଆ ରଙ୍ଗରେ ବ୍ୟବହାର କରିବା ଗ୍ରହଣୀୟ ନୁହେଁ । ସନାତନ ଧର୍ମ ବି ବାହ୍ୟ ସୌନ୍ଦର୍ଯ୍ୟ ନୁହେଁ ବରଂ ଅନ୍ତର୍ନିହିତ ବିକାଶର କଥା କହେ ବୋଲି କହିଛନ୍ତି ଶିକ୍ଷାବିତ ।