ସରକାରଙ୍କ ଗେରୁଆ ଓମଫେଡ: ରଙ୍ଗ ବଦଳିଲା, ବଢ଼ିଲା ଦାମ, କମିଲା ଦୁଗ୍ଧର ପରିମାଣ

ଭୁବନେଶ୍ବର: ବଦଳିଲା ଓମଫେଡ୍ ଦୁଗ୍ଧ ପ୍ୟାକେଟର ରଙ୍ଗ । ଗେରୁଆ ରଙ୍ଗରେ ବଜାରକୁ ଆସିଲା ନୂଆ ପ୍ୟାକେଟ୍ । ରଙ୍ଗ ବଦଳିବା ସହ ଖାଉଟିଙ୍କୁ ମହଙ୍ଗା ଛାଟ ମାରିଲେ ସରକାର । କାରଣ ଏବେ ପ୍ୟାକେଟରେ ଅଧ ଲିଟର ବଦଳରେ ରହିଛି ୪୫୦ ମିଲିଲିଟର କ୍ଷୀର । ପରିମାଣ ତ କମାଇଲେ, ତା ସାଙ୍ଗକୁ ପ୍ୟାକେଟ ପିଛା ଅଧିକ ୨ ଟଙ୍କା ବଢ଼ାଇଲେ ସରକାର । ଯାହାକୁ ନାପସନ୍ଦ କରିଛନ୍ତି ଗ୍ରାହକ । ଅନ୍ୟପଟେ ଏଭଳି ନିଷ୍ପତ୍ତିକୁ ଭୁଲ କହି ସମାଲୋଚନା କରିଛି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ । ଗ୍ରାହକଙ୍କୁ ଏଭଳି ନଠକିବାକୁ ନିବେଦନ କରିଛି ମହାସଂଘ ।

କ୍ଷମତାକୁ ଆସିବା ପରେ ରଙ୍ଗ ବଦଳାଇଲେ ରାଜ୍ଯ ସରକାର । ବଜାରକୁ ଆସିଲା ଗେରୁଆ ରଙ୍ଗର ଓମଫେଡ ଦୁଗ୍ଧ ପ୍ଯାକେଟ୍ । ବଢ଼ିଲା ଦାମ, କମିଲା ଦୁଗ୍ଧର ପରିମାଣ । ଏମିତି କରି ନିଜର ରଙ୍ଗ ବଦଳା ରାଜନୀତିକୁ ପ୍ରମାଣିତ କରିଛନ୍ତି ରାଜ୍ୟ ସରକାର । ରଙ୍ଗ ତ ବଦଳାଇଲେ, ତା ସହ ଠକେଇ ବି କଲେ । ଯାହାକି କ୍ୟାମେରା ସାମ୍ନାରେ ପଡିଯାଇଛି । ସବୁଠୁ ସ୍ୱଚ୍ଛ ଓ ପବିତ୍ର ବୋଲି କୁହାଯାଉଥିବା କ୍ଷୀରରେ ଏହି ଠକେଇ ଦେଖିବାକୁ ମିଳିଛି । ଓଡ଼ିଶାବାସୀଙ୍କ ଦୁଗ୍ଧ ଆବଶ୍ୟକତା ପୂରଣ କରୁଥିବା ଓମଫେଡ କ୍ଷୀରର ପ୍ୟାକେଟକୁ ଗେରୁଆ ରଙ୍ଗ କରିବା ସହ କ୍ଷୀରର ଦାମକୁ ବଢ଼ାଇ ଦିଆଯାଇଛି । ଓମଫେଡ କ୍ଷୀର ପ୍ୟାକେଟରେ ଅଧ ଲିଟର ଅର୍ଥାତ ୫୦୦ ମିଲିଲିଟର ଆସିଥାଏ । କିନ୍ତୁ ବଜାରକୁ ଆସିଥିବା ନୂଆ ଗେରୁଆ ରଙ୍ଗର ପ୍ୟାକେଟରେ ୫୦ ମିଲିଲିଟର କମ ଅର୍ଥାତ ୪୫୦ ମିଲିଲିଟର କ୍ଷୀର ଦିଆଯାଇଛି । ପରିମାଣ ତ କମାଗଲା, ତା ସହ ପ୍ୟାକେଟ ପିଛା ଅଧିକ ୨ ଟଙ୍କା ବଢ଼ାଗଲା । ମୋଟ ଉପରେ କହିବାକୁ ଗଲେ, ୯୦୦ ମିଲିଲିଟର କ୍ଷୀର କିଣିଲେ ଗ୍ରାହକଙ୍କୁ ଦେବାକୁ ପଡ଼ିବ ୫୬ ଟଙ୍କା । ପୂର୍ବର ଓମଫେଡ ପ୍ୟାକେଟ ଏକ ଲିଟର କ୍ଷୀରର ମୂଲ୍ୟ ୫୨ ଟଙ୍କା ରହିଥିବା ବେଳେ ଏବେ ୯୦୦ ମିଲିଲିଟର କ୍ଷୀରର ମୂଲ୍ୟ ୪ ଟଙ୍କା ବଢାଯାଇଛି । ଯାହାକୁ ନାପସନ୍ଦ କରିଛନ୍ତି ସାଧାରଣ ଲୋକେ ।

ସେପଟେ ହଠାତ କ୍ଷୀର ପ୍ୟାକେଟର ରଙ୍ଗ, ଦାମ ଓ ପରିମାଣ ପରିବର୍ତ୍ତନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ । ସରକାର ଓ ଓମଫେଡର ଏହା ଏକ ଭୁଲ ନିଷ୍ପତ୍ତି ବୋଲି କହିଛି ମହାସଂଘ । ଓମଫେଡ ଏକ ସରକାରୀ ଓ ସମବାୟ ସଂସ୍ଥା । ଏବେ ଅଧ ଲିଟର ପ୍ୟାକେଟରେ ୪୫୦ ମିଲିଲିଟର କ୍ଷୀର ଦେଇ ଅଧିକ ଅର୍ଥ ନେବା ଆଦୌ ଗ୍ରହଣୀୟ ନୁହେଁ ବୋଲି କୁହାଯାଉଛି । ପଶୁସମ୍ପଦ ମନ୍ତ୍ରୀଙ୍କ କହିବା କଥା, ଚାଷୀଙ୍କ ଠାରୁ ଓମଫେଡ ୩୫ ଟଙ୍କା ୫ ପଇସାରେ କ୍ଷୀର କିଣୁଛି । ତେଣୁ ଚାଷୀଙ୍କୁ କ୍ଷୀର ଲିଟର ପିଛା ଅତି କମରେ ୪୦ ଟଙ୍କା ଦେବାକୁ ଦାବି ହୋଇ ଆସୁଛି । ଏବେ ଯଦି ଦାମ ବଢ଼ାଗଲା ତେବେ ସେହି ବର୍ଦ୍ଧିତ ଅର୍ଥ ଦୁଗ୍ଧ ଚାଷୀଙ୍କୁ ଦିଆଯାଉ ବୋଲି କହିଛି ମହାସଂଘ । ଏହାସହ ଗାଈଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ କରିବା, ଗୋଖାଦ୍ୟର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଦାବି ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ।

କିଛି ଦିନ ପୂର୍ବରୁ ପରୀକ୍ଷାମୂଳକ ଭାବେ ଏହି ଗେରୁଆ ରଙ୍ଗର ପ୍ୟାକେଟ କ୍ଷୀର ବିଭିନ୍ନ ଓମଫେଡରେ ଦିଆଯାଇଥିଲା । ଆଜି କିନ୍ତୁ ଏହି କ୍ଷୀରକୁ ମାର୍କେଟକୁ ବହୁଳ ଭାବେ ଛଡ଼ାଯାଇଛି ।