ଓଡ଼ିଶା ବିକାଶ ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂଘକୁ ରାଜ୍ୟ ସରକାର ଅନୁରୋଧ

ଭୁବନେଶ୍ବର:  ଓଡ଼ିଶାର ବିକାଶ ପାଇଁ କିଛି ପ୍ରମୁଖ ପ୍ରସ୍ତାବ ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଘକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ଅନୁଷ୍ଠାନ କଟକ ଶାଖା ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସହଯୋଗ ଲୋଡିଛନ୍ତି । ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଘ ମଧ୍ୟ ଏ ପ୍ରସ୍ତାବକୁ ଗ୍ରହଣ କରିବା ସହ ରାଜ୍ୟର ବିକାଶ ସମ୍ପର୍କିତ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେବ ବୋଲି କହିଛି ।

ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଓ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟାପକ ସୁଯୋଗ ଥିବାରୁ ରାଜ୍ୟର ବିକାଶ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ରିସର୍ଚ୍ଚ କରି ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବେ । ଏଥିସହିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଆୟକର ଆଇନ, ଜିଏସଟି, କମ୍ପାନୀ ଆଇନ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଆଇନ, ଅଡିଟର ନୂତନ ପ୍ରଣାଳୀ, କୃତ୍ରିମ ବୁଦ୍ଧିମତାର ଉପଯୋଗ ଆଦି ସମ୍ପର୍କରେ ଆଲୋଚନା କରାଯିବ । ସମ୍ମିଳନୀରେ ଓଡିଶା ସମେତ ଦେଶର ପ୍ରମୁଖ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ଯୋଗ ଦେଇଛନ୍ତି ।