ରାଜ୍ୟରେ ରହିବନି ଡାକ୍ତର ଅଭାବ, ୫ ହଜାର ନୂଆ ଡାକ୍ତର ପଦବୀକୁ ମଞ୍ଜୁର କରିଛନ୍ତି ରାଜ୍ୟପାଳ

1 min read

ଭୁବନେଶ୍ବର: ରାଜ୍ୟରେ ରହିବନି ଡାକ୍ତର ଅଭାବ । ସୃଷ୍ଟିହେଲା ୫ ହଜାର ନୂଆ ଡାକ୍ତର ପଦବୀ । ନୂଆ ଡାକ୍ତର ପଦବୀକୁ ମଞ୍ଜୁର କରିଛନ୍ତି ରାଜ୍ୟପାଳ । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସପିଟାଲ ଓ ରାଉରକେଲା ଆଇଜିଏଚରେ ୬୮୯ଟି ନୂଆ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ୩୨ଟି ଉପଖଣ୍ଡ ଚିକିତ୍ସାଳୟରେ ୪୮୦ ଜଣ ଡାକ୍ତର ନିଯୁକ୍ତ ହେବେ ।

ଏଥିପାଇଁ ପ୍ରତି ଉପଖଣ୍ଡ ଚିକିତ୍ସାଳୟରେ ୧୫ଟି ଲେଖାଏ ନୂଆ ପଦବୀ ସୃଷ୍ଟି ହୋଇଛି । ୩୭୫ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩୭୫୦ ଡାକ୍ତର ନିଯୁକ୍ତ ହେବେ । ପ୍ରତି ସିଏଚସିରେ ୧୦ଟି ଲେଖାଏ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ସେହିପରି ରାଜ୍ୟର ୭ଟି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୮୧ଟି ଡାକ୍ତର ପଦବୀ ସୃଷ୍ଟି ହୋଇଛି ।

ଭୁବନେଶ୍ବରର ୪ଟି ଓ ସୁନ୍ଦରଗଡ଼ର ଗୋଟିଏ UCHC ପାଇଁ ୧୩ଟେ ଲେଖାଏ ମୋଟ ୬୫ଟି ପଦବୀ ସୃଷ୍ଟି ହୋଇଥିବାବେଳେ କଟକର ସିଡିଏ, ଚାଉଳିଆଗଞ୍ଜରେ ୮ଟି ଲେଖାଏ ମୋଟ ୧୬ଟି ପଦବୀ ସୃଷ୍ଟି କରାଯାଇଛି ।