କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍। ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫ ଓ ବନ୍ଧାଳିଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ । ସବୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ। କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପିଲାଙ୍କୁ ବୃତ୍ତି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ଜିଲ୍ଲାସ୍ତରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ । ସର୍କଲ ଚେକର୍ସ ଓ ବାଇଣ୍ଡିଂ ଚେକର୍ସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ । ସମସ୍ତ ତୋଳାଳିଙ୍କୁ ତୋଳାଳି ପରିଚୟ ପତ୍ର ପ୍ରଦାନ କରାଯିବ। କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18% ଜିଏସଟି ରଖିଛନ୍ତି । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନେ ସମସ୍ତେ ଗରିବ ଲୋକ ।

ତେଣୁ କେନ୍ଦୁପତ୍ର ଉପରୁ GST ଉଠାଇବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବ ଲୋକଙ୍କ ହିତ ଦୃଷ୍ଟିରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ପୁଣି ଥରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଅଛନ୍ତି । ବହୁ ଜନଜାତି ମା’ ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରନ୍ତି । କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର କାମ କରି ଆସୁଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।

ରାଜ୍ୟର ଏହି ନୀତି ଅନ୍ୟ ରାଜ୍ୟ ପାଇଁ ମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ତୋଳାଳିଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନି ତିନିଥର ଆଲୋଚନା କରାଯାଇଛି । ଆଲୋଚନା ପରେ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜ ଘୋଷଣା କରାଯାଇଛି ।