କରୋନା ସଂକ୍ରମିତ ଶିଶୁଙ୍କ ଠାରେ କେଉଁ ଲକ୍ଷଣ ଦେଖାଯାଏ: ଜାଣନ୍ତୁ କେମିତି ନେବେ ଯତ୍ନ

ଭୁବନେଶ୍ୱର:  ବୁଧବାର ରାଜ୍ୟ ସରକାରଙ୍କ କରୋନା ମୁକାବିଲା ପ୍ରେସମିଟ୍‌ରେ ଶିଶୁଙ୍କ ଠାରେ କରୋନାର ଲକ୍ଷଣ ଏବଂ ସଂକ୍ରମିତ ଶିଶୁଙ୍କ ଯତ୍ନ ନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର । ପ୍ରେସବାର୍ତ୍ତାରେ ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର୍ ସେବାରଞ୍ଜନ ବିଶ୍ୱାଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,  ବୟସ୍କ ଓ ପିଲାଙ୍କ ଠାରେ କରୋନା ଲକ୍ଷଣ ପ୍ରାୟ ସମାନ ଦେଖାଯାଏ । ଜ୍ୱର, କାଶ , ପେଟ ଦରଜ, ଆଖି ଲାଲ ପଡ଼ିବା ବାନ୍ତି ହେବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ଶିଶୁ କରୋନା ରୋଗୀଙ୍କ ଠାରେ ଦେଖିବାକୁ ମିଳିଥାଏ । ସଂକ୍ରମିତ ହେବାର ପ୍ରାୟ ୪ରୁ ୬ ସପ୍ତାହ ପରେ ଏହି ସବୁ ଲକ୍ଷଣ ଶିଶୁଙ୍କ ଠାରେ ଦେଖିବାକୁ ମିଳିଥାଏ ।

ତେବେ ପିଲାଙ୍କୁ କୋଭିଡ ହେଲେ ମଧ୍ୟ ଗୁରୁତର ହୁଅନ୍ତି ନାହିଁ । ସେମାନଙ୍କ ଠାରେ ଅନ୍ୟାନ୍ୟ ରୋଗ ନଥିବାରୁ ସେମାନେ ଗୁରୁତର ହୁଅନ୍ତି ନାହିଁ । ଏଥିସହିତ ସେମାନଙ୍କ ଧୂମପାନ ଭଳି ଅଭ୍ୟାସ ନଥିବାରୁ ସେମାନଙ୍କ ଫୁସଫୁସ୍ ମଧ୍ୟ ଠିକ୍ ଥାଏ । ଏଣୁ ସେମାନେ ସଂକ୍ରମିତ ହୋଇ ଗୁରୁତର ଗୁରୁତର ହେବାର ଆଶଙ୍କା କମ୍ । ଛୁଆମାନେ ପ୍ରାୟତଃ ଘରେ ରହୁଥିବାରୁ ସେମାନେ ବଡ଼ମାନଙ୍କ ଠାରୁ ହିଁ ସଂକ୍ରମିତ ହୋଇଥାନ୍ତି । ଏଣୁ ବଡ଼ମାନଙ୍କୁ ଅଧିକ ସତର୍କ ହେବା ଆବଶ୍ୟକ ।

ତେବେ ନାକର ପାଣି ବୋହିଲେ, ଜ୍ଜର ହେବା କିମ୍ୱା ଥଣ୍ଡା କାଶ ହେଲେ ସଙ୍ଗେ ସଙ୍ଗେ ଶିଶୁଙ୍କୁ ଡାକ୍ତରଙ୍କୁ ଦେଖାଇବାର ଆବଶ୍ୟକତା ରହିଛି । ୫୦ ପ୍ରତିଶତରୁ ୬୦ ପ୍ରତିଶତ ସଂକ୍ରମିତ ଶିଶୁଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଏନି ବୋଲି ରାଜ୍ୟ ସରକାରଙ୍କ କରୋନା ସମ୍ପର୍କିତ ପ୍ରେସମିଟରେ ସୂଚିତ କରାଯାଇଛି ।

Leave a Reply