ବିରୋଧୀ ସିଟରେ ବସି ଓଡ଼ିଶାବାସୀଙ୍କ ସ୍ବରକୁ ଶାଣିତ କରିବ ବିଜେଡି

1 min read

ଭୁବନେଶ୍ବର: ରାଜ୍ଯ ରାଜନୀତିରେ ନୂଆ ସମୀକରଣ । ୨୪ ବର୍ଷ ପରେ ଓଡ଼ିଶା ପାଇଛି ସଶକ୍ତ ବିରୋଧୀ ଦଳ । ବିରୋଧୀ ଦଳ ଭାବେ ବିଜେଡି ପ୍ରଥମ ଥର ପାଇଁ ଲୋକଙ୍କ ସ୍ବରକୁ କରିବ ଶାଣିତ । ସମୟ ଅନୁଯାୟୀ ସବୁ ପ୍ରସଙ୍ଗ ଉଠାଇବାକୁ ବିଜେଡି ପ୍ରସ୍ତୁତ । ସେପଟେ ବିଧାନସଭାରେ କଂଗ୍ରେସ ଆସନ ସଂଖ୍ୟା ବୃଦ୍ଧି ପାଇଥିବାରୁ ଦଳରେ ଉତ୍ସାହ । ନୂଆ ସମୀକରଣକୁ ନେଇ ରାଜ୍ୟ ରାଜନୀତି ଉଷ୍ଣ ।

୨୪ରେ ମିଳିଲା ସଶକ୍ତ ବିରୋଧୀ ଦଳ । ପ୍ରଥମ ଥର ପାଇଁ ବିରୋଧୀ ଦଳ ଭୂମିକାରେ ବିଜେଡି । ଜନସେବା ସହ ସମସ୍ୟା ସମାଧାନକୁ ଦଳର ଫୋକସ । ବିଧାୟକ ସଂଖ୍ଯା  ବୃଦ୍ଧି ପାଇଁ କଂଗ୍ରେସ ବି ଉତ୍ସାହିତ । ବିଜେପି କହିଲା- ବିରୋଧୀଙ୍କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ।

ପ୍ରଥମ ଥର ଲାଗି ଓଡ଼ିଶାବାସୀ ବିଜେପିକୁ ଶାସକ ଦଳର ମାନ୍ୟତା ଦେବା ସହ ବିଜେଡି ଓ କଂଗ୍ରେସକୁ ସଶକ୍ତ ବିରୋଧୀ ଦଳ ଭାବେ ଉଭା କରିଛନ୍ତି । ୨୪ ବର୍ଷର ସୁଶାସନ ଓ ବିକାଶ କାର୍ଯ୍ୟ ପାଇଁ ବିଜେଡି ସାରା ଦେଶରେ ନାଁ କରିଛି । ବିରୋଧୀ ଦଳ ଭାବେ ମଧ୍ଯ ଲୋକଙ୍କ ସହ ସବୁବେଳେ ଯୋଡ଼ି ହୋଇ ରହିବ । ଜନସେବା ଜାରି ରଖିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଜେଡିର ନବନିର୍ବାଚିତ ୫୧ ଜଣ ବିଧାୟକ ଓ ସମସ୍ତ ନେତା ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି କହିଛନ୍ତି ।

୨୦୧୯ ଅପେକ୍ଷା ୨୦୨୪ରେ ଓଡ଼ିଶାରେ କଂଗ୍ରେସର ବଳ ବୃଦ୍ଧି ପାଇଛି । କଂଗ୍ରେସର ୧୪ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ଏଥିରେ ଉତ୍ସାହିତ ଥିବା କଂଗ୍ରେସ ଲୋକଙ୍କ ସ୍ବରକୁ ଶାଣିତ କରିବା ସହ ଲଢ଼େଇ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଛି । ତାରାପ୍ରସାଦ ବାହିନୀପତିଙ୍କୁ କଂଗ୍ରେସ ବିଧାୟକ ଦଳ ନେତା କରିବା ପାଇଁ ଦଳର ବହୁ ବିଧାୟକ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ଆଜି ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ରାଜନ ଏକ୍କା ପ୍ରମୁଖ ଦିଲ୍ଲୀ ଗସ୍ତ କରିଛନ୍ତି । ଦଳ ଯେଉଁ ଦାୟିତ୍ବ ଦେବ, ତାହା ସଠିକ ଭାବେ ତୁଲାଇବେ ବୋଲି ତାରା କହିଛନ୍ତି । ଅନ୍ୟପଟେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାହା  ସାମ୍ନା କରିବାକୁ ପ୍ରସ୍ତୁତ ଥିବା ବିଜେପି କହିଛି ।