ରାଜ୍ୟରେ ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ବର୍ଷକ ମଧ୍ୟରେ ସଂଖ୍ୟା ପହଞ୍ଚିଲା ୧୧୩ରେ

1 min read

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବାଧ୍ୟତାମୂଳକ ଅବସର। ଦୁର୍ନୀତି ଓ ଅପରାଗତା ହଟାଇବା ସଂକଳ୍ପରେ ଥିବା ରାଜ୍ୟ ସରକାର ଆଜି ୯ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ବର୍ଷକ ମଧ୍ୟରେ ୧୧୩ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଲିକାରେ ଜଙ୍ଗଲ, ଜନସ୍ୱାସ୍ଥ୍ୟ, ଶ୍ରମ ବିଭାଗର ଅଧିକାରୀ ମାନଙ୍କର ନାମ ରହିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଥିବାବେଳେ, ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିର୍ଦ୍ଦେଶକ ମଦନ ମୋହନ ବିଶ୍ୱାଳ। ଆଙ୍କ ବିରୁଦ୍ଧରେ ୯ଟି ଭିଜିଲାନ୍‌ସ କେସ୍‌ ରହିଛି। ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଥିଲା। ସେହିପରି ସରକାରୀ କାର୍ଯ୍ୟରେ ତାଙ୍କର ଆନ୍ତରିକତା ଅଭାବ ରହିଥିଲା ଏବଂ ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ସୌଜନ୍ୟ ମଧ୍ୟ ସେ ରକ୍ଷା କରୁ ନଥିଲେ।

ସେହିପରି ରମେଶ ଚନ୍ଦ୍ର ମହାଲିକ, ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ଅଧିକାରୀଙ୍କୁ ମଧ୍ୟ ବିଦା କରାଯାଇଛି। ମହାଲିକଙ୍କ ବିରୁଦ୍ଧରେ ୪ଟି ଭିଜିଲାନ୍‌ସ କେସ୍ ଥିବାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ ଥିଲା। ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ଆନ୍ତରିକତା ଓ ସୌଜନ୍ୟର ଅଭାବ ତାଙ୍କ ଠାରେ ଥିଲା।

ବାଧ୍ୟତାମୂଳକ ଅବସର ପାଇଥିବା ବଲାଙ୍ଗୀର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକ ୧ କୋଟି ୪୦ ଲକ୍ଷ ଟଙ୍କାର ଆୟବହିର୍ଭୁତ ସଂପତ୍ତି ସହିତ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ୧୦ଟି ପ୍ଲଟ ଓ  ୨ଟି କୋଠା ମଧ୍ୟ ଠାବ କରାଯାଇଥିଲା। ସେଥିପାଇଁ ତାଙ୍କ ନାମରେ ଭିଜିଲାନ୍‌ସ ମାମଲା ରହିଛି।

ସେପଟେ ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ନାରାୟଣ ପ୍ରଧାନଙ୍କ ବିରୁଦ୍ଧରେ ଭିଜିଲାନ୍‌ସ ମାମଲା ରହିଥିଲା। ସେଥିପାଇଁ ତାଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେଓଗଡ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ମଧ୍ୟ ରହିଛି।

ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ କୁମାର ପ୍ରଧାନଙ୍କ ବିରୁଦ୍ଧରେ ୨ଟି ଭିଜିଲାନ୍‌ସ କେସ ରହିଛି। କୁମାର ଘଡେଇ ଜଙ୍ଗଲ ବିଭାଗର ରେଞ୍ଜ ଅଫିସରଙ୍କ ବିରୁଦ୍ଧରେ ୩ଟି ଭିଜିଲାନ୍‌ସ କେସ୍ ରହିଥିବାରୁ ତାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିପରି ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ବିରୁଦ୍ଧରେ ଗୋଟିଏ ଭିଜିଲାନ୍‌ସ କେସ ରହିଛି। ସେଥିପାଇଁ ଏମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଖାଲି ସେତିକି ନୁହେଁ             ଭୁବନେଶ୍ୱରର ଯୁଗ୍ମ ଶ୍ରମ କମିଶନର ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡିଭିଜନାଲ ଶ୍ରମ କମିଶନର  ନମିତା ଦାସଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Leave a Reply