ଓଡ଼ିଶାକୁ ମିଳୁଛି ପୁଳାପୁଳା ପ୍ରତିଶ୍ରୁତି, ନିଜାମ ସହରରୁ ଆସିବ ନିବେଶ

ହାଇଦ୍ରାବାଦ: ନିବେଶ ଆସିବ ବିକାଶ ହେବ ଆହୁରି ଦ୍ରୁତ । ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ସାରା ଦିନ ବିଶିଷ୍ଟ କର୍ପୋରେଟ ହାଉସ ଲିଡରଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କରିଛନ୍ତି । ୫ ଘଣ୍ଟାରେ ତିନିଟି ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପ ପାଇଁ ଥିବା ବ୍ୟାପକ ସୁଯୋଗ ଓ ସମ୍ଭାବନା ବାବଦରେ ବୁଝାଇଛନ୍ତି । ରାଜ୍ୟ ସରକାରଙ୍କ ଫୋକସରେ ଆଇଟି ଓ ଆଇଟିଇଏସ୍, ହେଲଥ କେୟାର ଓ ଫାର୍ମାସ୍ୟୁଟିକାଲ, ଇଏସଡିଏମ୍ ଓ ଡାଟା ସେଣ୍ଟର, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ ପ୍ରଭୃତି ସେକ୍ଟର ରହିଛି । ସ୍ଥିର ସରକାର ଓ ଉନ୍ନତ ଭିତ୍ତଭୂମି ଯୋଗୁଁ ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ଦେଶବିଦେଶର ବଡ଼ କମ୍ପାନୀଙ୍କ ପ୍ରତିଶ୍ରୁତି ମିଳୁଛି । ଯାହାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

 

ନିଜାମ ସହରରେ ନିବେଶକ ସମ୍ମିଳନୀରେ ବିଭିନ୍ନ କମ୍ପାନୀ ନିଜ ନିଜର ପ୍ରେଜେଣ୍ଟେସନ ରଖିଛନ୍ତି । ହେଲଥକେୟାର ଓ ଫାର୍ମାସିଉଟିକାଲସ କ୍ଷେତ୍ରରେ ଆପୋଲୋ ହସ୍ପିଟାଲର ଏମଡି ଅନିନ୍ଦିଥ ରେଡ଼୍ଡ଼ୀ, କିମ୍ସ ହାଇଦ୍ରାବାଦର ଏମ୍ଡ଼ି ବି. ଭାସ୍କର ରାଓ, ଏସ୍ଏମ୍ଏସ ଫାର୍ମାର ଅଧ୍ୟକ୍ଷ ରମେଶ ବାବୁ, ବିବିଏମ୍ ବୋମିଦଲ୍ଲା ଗ୍ରୁପର ରାଜା ଭି ବୋମିଦଲ୍ଲା, ଲଉରସ୍ ଲାବର ସିଇଓ ସତ୍ୟନାରାୟଣ ଚଭା ଏବଂ ହାଇଦ୍ରାବାଦ ଏଞ୍ଜେଲସର ଉପାଧ୍ୟକ୍ଷ ରାଜେଶ ମାନ୍ଥେନା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଞ୍ଜିନିବେଶ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ସେହିପରି ଆଇଟି ଓ ଆଇଟିଇଏସ କ୍ଷେତ୍ରରେ ମାଇକ୍ରୋସଫ୍ଟ ଇଣ୍ଡିଆ ଏମଡି ରାଜୀବ କୁମାର, ଆରୋନ କ୍ୟାପିଟାଲ ଏମଡି ଡେଭିଡ ଓଲ୍ଫ, ଚୁବ୍ କମ୍ପାନୀର ସିଏଫ୍ଓ ଶ୍ରୀକାନ୍ତ ଲାଙ୍କା, ଓରାକଲ୍ ଇଣ୍ଡିଆର ଏମଡି ଶୈଳେନ୍ଦ୍ର କୁମାର, କ୍ରେନ ଗ୍ଲୋବାଲ ସଲ୍ୟୁସନର ନିର୍ଦ୍ଦେଶକ କେ. ରାଘବ ରାମ, କ୍ବାଲକମ୍ ନିର୍ଦ୍ଦେଶକ ଚନ୍ଦ୍ରଶେଖର କୁମିଲି, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ଦେଖାଇଛନ୍ତି ।

 

ଏତିକିରେ ସରିନି ସାକ୍ଷାତ ପର୍ବ । ତାଲିକାରେ ଅଛନ୍ତି, ଭାରତ ବାୟୋଟେକର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲା, ଡେଲଏଟ ଏମ୍ଡି ଏନ୍.ଭେଙ୍କଟରମଣ, ପିଡବ୍ଲୁସିର ଆଡଭାଇଜର ଅର୍ଣ୍ଣବ ବସୁ, ବିଜୟନଗର ବାୟୋଟେକ୍ ଏମଡି ଡି ଭି ରାଜୁ । ସେହିପରି ମେଟାଲ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ପାଇଁ ନେପଚୁନସ୍ ବିଲ୍ଡରର ଏମଡି ଏମଭି ରମନା, ସୃଷ୍ଟି କନ୍ଟେକର ସିଇଓ ରାଜଶେଖର ରେଡ୍ଡିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସିମେଣ୍ଟ କାରଖାନା ପାଇଁ ତୋଷାଳୀ ସିମେଣ୍ଟ ସିଏମଡି ଏମଏସଆରଭି ପ୍ରସାଦ, ମହାସିମେଣ୍ଟର ଅଧ୍ୟକ୍ଷ ରାମେଶ୍ବର ରାଓଙ୍କ ସହ ମଧ୍ୟ ନବୀନ ଆଲୋଚନା କରିଛନ୍ତି। ନଭେମ୍ବର ୩୦ରୁ ଡିସେମ୍ବର ୪ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।