ସମ୍‌ରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ତୃତୀୟ କୋଭିଡ-୧୯ ହସ୍ପିଟାଲ: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ସୋମବାର କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ତୃତୀୟ କୋଭିଡ-୧୯ ହସ୍ପିଟାଲ । ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ର ସହଯୋଗରେ ସମ୍ ମେଡିକାଲ୍‌ରେ ଖୋଲିଛି ୫୨୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ । ଏଥିସହିତ ରାଜ୍ୟର କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୩୪୫ରେ ପହଞ୍ଚିଛି । ଏହି ତୃତୀୟ କୋଭିଡ ହସ୍ପିଟାଲରେ ୫୨୦ ଶଯ୍ୟା ମଧ୍ୟରୁ ୨୦ ଟି ଶଯ୍ୟା ଆଇସିୟୁ ପାଇଁ ରହିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହୋଇଛନ୍ତି । ଏହି ବିଶ୍ୱ ମହାମାରୀ ସମୟରେ ରୋଗୀଙ୍କ ସେବା ନେଇ ତାଙ୍କ ପ୍ରତିଶ୍ରୁତିବଦ୍ଧତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ହସ୍ପିଟାଲ ସ୍ଥାପନାରେ ସହଯୋଗ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ, ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟବାସୀଙ୍କ ପାଇଁ ଏହି ସୁବିଧା ଯୋଗାଇଦେଇଥିବାରୁ ଏମ୍‌ସିଏଲ୍‌କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଶଂସା କରଛନ୍ତି । ଜାତି ଧର୍ମ ଏବଂ ଦଳ ନିର୍ବିଶେଷରେ ମାନବ ସମାଜର ଉନ୍ନତି ପାଇଁ ଉଭୟ ଭାରତ ସରକାର ଏବଂ ଓଡ଼ିଶାର ସରକାରଙ୍କ ପରାମର୍ଶକୁ ଅନୁସରଣ କରିବା ପାଇଁ ସେ ଆହ୍ନାନ ଦେଇଛନ୍ତି ।

କରୋନା ମୁକାବିଲା ନେଇ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଖଣି ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଦାଦ ଯୋଶୀ । ଏଥିସହିତ କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନ ପିଏସ୍‌ୟୁ ସହାୟତାରେ ରାଜ୍ୟରେ ଅଧିକ ସଂଖ୍ୟାକ କୋଭିଡ-୧୯ ହସ୍ପିଟାଲ ନିର୍ମାଣ ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଭୁବନେଶ୍ୱରର କିମ୍ସରେ ୫୦୦ ଶଯ୍ୟା ବିଶିଷ୍ଟ, କଟକ ଅଶ୍ୱିନୀ ହସ୍ପିଟାଲରେ ୧୨୫ ଶଯ୍ୟା ବିଶିଷ୍ଟ ଓ ହାଇଟେକ୍‌ ମେଡିକାଲ୍‌ ସହାୟତାରେ ରାଉରକେଲାରେ ୨୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲାସ୍ତରୀୟ କୋଭିଡ-୧୯ ହସ୍ପିଟାଲ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସଗ୍ରୀକୃତ ହୋଇଛି ।

Leave a Reply