ରକ୍ତହୀନତା ଦୂର କରିବାରେ ଓଡ଼ିଶାକୁ ସଫଳତା

1 min read

ଭୁବନେଶ୍ବର: ହେମୋଗ୍ଲୋବିନ୍ କମ୍ ଥିବା ରୋଗୀଙ୍କ ସଂଖ୍ୟା ହ୍ରାସ କରିବାରେ ଓଡ଼ିଶା ସର୍ବ ଭାରତୀୟ ସ୍ତରରେ ୨୦୨୩-୨୪ ବର୍ଷ ପାଇଁ ହାସଲ କରିଛି ଚତୁର୍ଥ ସ୍ଥାନ । ନବୀନଙ୍କ ମୁଖ୍ଯମନ୍ତ୍ରିତ୍ବ ବେଳେ ଏହି ଅଭିଯାନ ଲାଗି ସ୍ବତନ୍ତ୍ର ୟୋଜନା କରାଯାଇଥିଲା । ଯୋଜନାରେ ଆଇରନ୍ ଓ ଫଲିକ ଏସିଡ ବଟିକା ବଣ୍ଟନ କରାଯିବା ସହ ରକ୍ତହୀନ ରୋଗୀଙ୍କୁ ମାଗଣା ରକ୍ତ ପ୍ରଦାନ କରାଯାଉଛି । ଆଗକୁ କେଉଁ ଜିଲ୍ଲାରେ କେତେ ଆନେମିଆ ବା ରକ୍ତହୀନତା ରୋଗୀ ଅଛନ୍ତି ସେମାନଙ୍କ ପାଇଁ ଜିଲ୍ଲାଓ୍ବାରୀ ମ୍ୟାପିଂ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି ।

ଓଡ଼ିଶାରେ କମୁଛି ରକ୍ତହୀନତା ବା ଆନେମିଆ ରୋଗୀଙ୍କ ସଂଖ୍ୟା । ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା । ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରରେ ରାଜ୍ୟକୁ ମିଳିଛି ଚତୁର୍ଥ ସ୍ଥାନ । ଆନେମିଆ ମୁକ୍ତ ଭାରତ ସ୍କୋର ତାଲିକାରେ ଓଡ଼ିଶାକୁ ମିଳିଛି ୮୩.୩ ପଏଣ୍ଟ୍ । ଅମ୍ଲାନ ବା ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ରକ୍ତହୀନର ଶିକାର ହେଉଥିବା ରୋଗୀଙ୍କୁ ମାଗଣାରେ ବଣ୍ଟନ ହେଉଛି ଆଇରନ୍ ଓ ଫୋଲିକ୍ ଏସିଡ୍ ବଟିକା । ୬ ମାସରୁ ୫ ବର୍ଷ ପିଲା, କିଶୋରୀ ବାଳିକା, ଗର୍ଭବତୀ ମାଆ ଓ ସ୍ତନ୍ୟପାନ କରାଉଥିବା ମାଆଙ୍କ ପାଇଁ ବଣ୍ଟନ ହେଉଛି ମାଗଣା ବଟିକା । ଏହାସହ ବିବାହ ପୂର୍ବରୁ ରକ୍ତ ଶିକୁଳି, ଥାଲାସେମିଆ ଓ ରକ୍ତହୀନତା ରୋଗୀଙ୍କ ରକ୍ତ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି । ପଶ୍ଚିମ ଓଡ଼ିଶାରେ ରକ୍ତ ଶିକୁଳି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଆଗାମୀ ଦିନରେ ରକ୍ତ ଶିକୁଳି ରୋଗୀ ଓ ଆନେମିଆ ରୋଗୀଙ୍କର ଜିଲ୍ଲାଓ୍ବାରୀ ମ୍ୟାପିଂ କରାଯିବ ।

ରକ୍ତହୀନତା ରୋଗ ମୁଖ୍ୟତଃ ୩ଟି କାରଣରୁ ହୋଇଥାଏ । ସବୁଜ ପନିପରିବା ଖାଦ୍ୟରେ ଅଭାବ ହେଲେ ଏହି ରୋଗ ହୋଇଥାଏ । ନୀଳ ରଙ୍ଗର ପନିପରିବାରେ ଅଧିକ ଆଇରନ୍ ରହିଥାଏ । ସଜନା ଶାଗ ଓ ପାଳଙ୍ଗରେ ଅଧିକ ମାତ୍ରାରେ ଥାଏ ଆଇରନ୍ । ଦୈନଦିନ ଖାଦ୍ୟରେ ଏପରି ଖାଦ୍ୟ ପ୍ରଚୁର ମାତ୍ରାରେ ଖାଇବା ଉଚିତ୍ । ଦ୍ବିତୀୟରେ ଯଦି ଶରୀରରେ ଆଇରନ୍, ଭିଟାମିନ୍ ଧାରଣ କରିବାରେ ସମସ୍ୟା ଥାଏ, ଶରୀରରେ କୃମି ସଂଖ୍ୟା ବଢିଲେ ଆଇରନ୍ ମାତ୍ରା କମିଥାଏ । ଏଥିପାଇଁ ରୋଗୀକୁ ନିୟମିତ ୩ରୁ ୬ ମାସ ଅନ୍ତରରେ କୃମି ନାଶକ ବଟିକା ସେବନ କରିବାକୁ ପଡ଼ିବ । ତୃତୀୟରେ ବଂଶଗତ ଜେନେଟିକ୍ ସମସ୍ୟା ଯୋଗୁଁ ରୋଗୀଟି ଯଦି ଥାଲାସେମିଆ ଓ ରକ୍ତ ଶିକୁଳି ରୋଗରେ ପୀଡ଼ିତ ତା’ହେଲେ ରୋଗୀ ରକ୍ତହୀନତା ରୋଗରେ ପୀଡ଼ିତ ହୁଏ । ବିଶେଷକରି କିଶୋରୀ ବାଳିକାଙ୍କ କ୍ଷେତ୍ରରେ ରକ୍ତହୀନତା ହେଲେ ମାସିକ ଋତୁସ୍ରାବ ସମୟରେ ଅଧିକ ସମସ୍ୟା ଭୋଗିବାକୁ ପଡ଼େ । ଏଥିପାଇଁ ରୋଗୀ ନିୟମିତ ଚିକିତ୍ସା ଆବଶ୍ୟକ କରିଥାଏ ।

ପୂର୍ବ ସରକାରଙ୍କ ସମୟରେ ନିଆଯାଇଥିଲା ନିଷ୍ପତ୍ତି । ଅମ୍ଲାନ୍ କାର୍ଯ୍ୟକ୍ରମ ଜରିଆରେ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆଗାମୀ ୨୦୨୭-୨୮ ପର୍ଯ୍ୟନ୍ତ ଚାଲୁ ରହିବ ।