ହାଲୁକା ଶୀତ ସହ ଘନ କୁହୁଡିରେ ଆକ୍ତାମାକ୍ତା ଜନଜୀବନ

ଭୁବନେଶ୍ବର: ହାଲୁକା ଶୀତ ସହ ଘନ କୁହୁଡିରେ ଆକ୍ତାମାକ୍ତା ହେଉଛି ଜନଜୀବନ । ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଆସନ୍ତା ୨ ଦିନ ପରେ ପୁଣି ବଢିବ ଶୀତ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ପ୍ରବଳ ଜାଡ ସହ ଅତି ଘନ କୁହୁଡି ଦେଖାଦେବ । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ରାଜ୍ୟରେ ଏଭଳି ପାଗ ଦେଖାଦେଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

ଘନ କୁହୁଡିର ଚାଦର ତଳେ ରାଜଧାନୀ । ଯୁଆଡେ ଚାହିଁବ ସିଆଡେ ଭାସୁଛି ଧଳା ଧଳା ଜଳକଣା । ଆଗକୁ ୨୦ ମିଟର ଦେଖିବା ବି ଅସମ୍ଭବ । ଦିନ ୧୦ଟା ପର୍ଯ୍ୟନ୍ତ ଆକ୍ତାମାକ୍ତା ଜନଜୀବନ । କଅଁଳ ଖରା ପରେ ଧିରେ ଧିରେ ସ୍ବାଭାବିକ ହେଲା ସ୍ଥିତି । ରାଜଧାନୀ ସମେତ ଖୋର୍ଦ୍ଧା, ଢେଙ୍କାନାଳ ଏବଂ ଚାନ୍ଦବାଲିରେ ସ୍ଥିତି ସଂଘାତିକ । ୨୦ ମିଟରକୁ ଖସିଲା ଦୃଶ୍ୟମାନ କ୍ଷମତା । ସକାଳୁ ସକାଳୁ ଭୁବନେଶ୍ବର ସମେତ ସାରା ରାଜ୍ୟକୁ କୁହୁଡି ଅକ୍ତିଆର କରି ରଖିଥିଲା । କୁହୁଡିର ପ୍ରଭାବ ଏତେ ଥିଲା ଯେ, ଗାଡି ଆଗକୁ ଦେଖିବା ସମ୍ଭବ ହେଉନଥିଲା । ଅତି ଜରୁରୀ କାମରେ ଯାଉଥିବା ଗାଡି ଚାଳକମାନେ ଲିଇଟ୍ ଏବଂ ଇଣ୍ଡିକେଟର ଦେଇ ଧିରେ ଧିରେ ଯିବାକୁ ବାଧ୍ୟ ହେଉଥିଲେ ।

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଅତି ଘନ କୁହୁଡି । ଖୋର୍ଦ୍ଧା ସମେତ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ରାୟଗଡା, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି ୧୨ ତାରିଖ ଦିନ ୧୯ଟି ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ମେଘମୁକ୍ତ ଆକାଶ ରହିଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଦୁଇଦିନ ପରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ କିଛି ଜିଲ୍ଲାରେ ହାଡଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଘନ କୁହୁଡିର ମୁକାବିଲା କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ପୋଲିସ ଏବଂ ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ ବଢାଇବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି ।