ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଗ୍ରାମବାସୀ କାନ୍ଧରେ ବୋହିଲେ ମୃତଦେହ

Flood

ଭଦ୍ରକ: ଅଧା ରାଜ୍ୟ ଏବେ ବନ୍ୟା ଜଳରେ ଉବୁଟୁବୁ । ଚାରି ଆଡ଼େ ବନ୍ୟା ଜଳର ପ୍ରକୋପ । ବନ୍ୟା ଜଳ ପାଇଁ ବିଛିନ୍ନ ହୋଇଯାଇଛି ଗାଁ ରୁ ଗାଁ । ଯାତାୟତ ବି ଠପ୍‌ । ଏଭଳି ପରିସ୍ଥିତିରେ ଦେଖିବାକୁ ମିଳିଛି ଗାଁ ଲୋକଙ୍କ ମାନବିକତା । ମାଇଲ ମାଇଲ ଦୂର ପର୍ଯ୍ୟନ୍ତ କାନ୍ଧରେ ବୋହି ନେଇଛନ୍ତି ମୃତଦେହ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ।

Flood

ଧାମନଗର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ମାଡ଼ି ଯାଇଥିବାରୁ ଯାତାୟତ ଠପ୍‌ ହୋଇଯାଇଛି । ଅନେକ ଗାଁ ଏବେ ପାଣି ଘରରେ ବନ୍ଦି ହୋଇ ରହିଛି । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଶୁକ୍ରବାର ରାତିରେ ବନ୍ୟା ଜଳରେ ଭାସିଯାଇଥିଲେ । ସେ ହେଉଛନ୍ତି ଖଡ଼ିପଦା ପଞ୍ଚାୟତ ଦକ୍ଷିଣ କୁରୁଆ ଗାଁର ହେମନ୍ତ ଜେନା । ଭାସିଯିବା ପରେ ଓଡ୍ରାଫ୍‌ ବାହିନୀକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯାତାୟତ ଠପ୍‌ ଯୋଗୁଁ ସେମାନେ ପହଞ୍ଚି ପାରିନଥିଲେ । ଫଳରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା । ସକାଳୁ ଗ୍ରାମବାସୀ ଅକାତକାତ ପାଣିରେ ପଶି ମିଳିମିଶି ଖୋଜା ଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରିଥିଲେ । ପରେ ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ଚାରିଆଡ଼େ ବନ୍ୟା ଜଳ ମାଡ଼ି ଯାଇଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା ।

ଫଳରେ ଗ୍ରାମବାସୀ ମାନବିକତା ଦେଖାଇ ଶେଷରେ କାନ୍ଧରେ ମୃତଦେହକୁ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ମୃତ ଦେହକୁ କାନ୍ଧରେ ବୋହି ମାନବିକତାର ପରିଚୟ ଦେଇଥିଲେ ଗ୍ରାମବାସୀ । ଦକ୍ଷିଣ କୁରୁଆରୁ ଖଡ଼ିପଦା, ଖଡ଼ିପଦାରୁ ଦୋବଲ ପର୍ଯ୍ୟନ୍ତ ଅଣ୍ଟାଏ ପାଣିରେ ମୃତଦେହକୁ କେନ୍ଧେଇ ନେଇଥିଲେ । ପରେ ଧାମନଗର କଲେଜ ପାଖରୁ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ।

Leave a Reply