ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି: ପେଲିସ, ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

କଟକ: ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ନେଇ ଓଡ଼ିଶା ଅଗ୍ନିଶମ ସେବା ବିଭାଗର ପ୍ରସ୍ତୁତି ବୈଠକ ।  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା କରିବା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ୨୦ ମଇରେ ଅଗ୍ନିଶମ ମହାନିର୍ଦ୍ଦେଶକ ଏମ୍ ଅକ୍ଷୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ସମସ୍ତ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଂଶ ପାଓ୍ୱାର ସ, ପାଓ୍ୱାର ବୋଟ୍,ଲାଇଟ୍ ଇଦ୍ୟାଦି ସହ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ମହାନିର୍ଦ୍ଦେଶକ ଏମ୍.ଅକ୍ଷୟ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଦୁଇ ଗୋଟି ଜିଲ୍ଲାକୁ ଗସ୍ତ କରି ଅଗ୍ନିଶମ କେନ୍ଦ୍ର ଗୁଡ଼ିକର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ମହାନିର୍ଦ୍ଦେଶକ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସଦର ମହକୁମା ଠାରେ ଜିଲ୍ଲା ପୁଲିସ ଅଧ୍ୟକ୍ଷକଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଏବଂ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କୁ ନେଇ ବାତ୍ୟାର ମୁକାବିଲା ପ୍ରସ୍ତୁତି ସମ୍ୱନ୍ଧରେ ସମୀକ୍ଷା ବୈଠକ କରିଥିଲେ । ଏହାପରେ ଜଗତସିଂହପୁର ଜିଲ୍ଲା ଗସ୍ତ କରି ପାରାଦୀପ ଠାରେ ଜଗତସିଂହପୁର ପୁଲିସ ଅଧିକ୍ଷକ ତଥା ବରିଷ୍ଠ ପୋଲିସ ଅଧିକାରୀ ଏବଂ ଅଗ୍ନିଶମ ଅଧିକାରୀମାନଙ୍କୁ ନେଇ ସେମାନଙ୍କର ପ୍ରସ୍ତୁତି ସମ୍ୱନ୍ଧରେ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ସମସ୍ତ ଉଦ୍ଧାରକାରୀ ଯନ୍ତ୍ରାଂଶ ସହ କର୍ମଚାରୀମାନଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ପୋଲିସ ଓ ପ୍ରଶାସନ ସହ ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

            ଏହି ଗସ୍ତ ସମୟରେ ମହାନିର୍ଦ୍ଦେଶକ ମଧ୍ୟ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲାର ଛତା ଠାରେ ଥିବା ୧୨୫ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଦ୍ୱୟ ପରିଦର୍ଶନ କରିଥିଲେ । ଏହି ଅବସରରେ ମୁତୟନ ହୋଇଥିବା ଅଗ୍ନିଶମ କର୍ମଚାରୀ ଏବଂ ହସ୍ପିଟାଲ କର୍ମଚାରୀମାନଙ୍କ ସହିତ ଉକ୍ତ ହସ୍ପିଟାଲମାନଙ୍କରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଅଗ୍ନିଶମ ବିଭଗ ତରଫରୁ ନିଆଯାଇଥିବା ଅଗ୍ନିନିରାପତ୍ତା ପଦକ୍ଷେପ ଓ ପ୍ରସ୍ତୁତି ସମ୍ୱନ୍ଧରେ ଆଲୋଚନା କରିବା ସହିତ ସସ୍ତ କର୍ମଚାରୀଙ୍କୁ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply