ରାଜ୍ୟରେ ଚାଷୀଙ୍କୁ ମିଳୁନି ସାର , ଧୂଆଁବାଣ ସାଜିଛି କୃଷିମନ୍ତ୍ରୀଙ୍କ ବୟାନ

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ସୁଧୁରିବାର ନାଁ ଧରୁନି ସାର ସଙ୍କଟ । ନିତି ସାର ବସ୍ତା ପାଇଁ ହୀନସ୍ତା ହେଉଛନ୍ତି ଚାଷୀ । ହେଲେ ଏପଟେ ବାହୋସ୍ଫୋଟ ମାରିବାରେ ବ୍ୟସ୍ତ ସରକାର । ସାର ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ସେବା ସମବାୟ ସମିତି ଆଗରେ ଚାଷୀଙ୍କ ହଙ୍ଗାମା । ଆଗାମୀ ଦିନରେ ସଠିକ ଭାବେ ସାର ଯୋଗାଇ ନଦେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଅନୁଗୁଳରେ ସାର ପାଇଁ ରାତି ଉଜାଗର ରହିଲେ ଚାଷୀ ।
ସାରା ରାଜ୍ୟରେ ସାର ସଙ୍କଟ । ଚାଷୀଙ୍କୁ ମିଳୁନି ସାର । ପ୍ୟାକ୍ସକୁ ଧାଇଁ ନୟାନ୍ତ ଚାଷୀ । ଧୂଆଁବାଣ ସାଜିଛି କୃଷିମନ୍ତ୍ରୀଙ୍କ ବୟାନ । ସାର ସମସ୍ୟା ପାଇଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲ ବ୍ଲକ ବନ୍ଧକାଟିଆ ସେବା ସମବାୟ ସମିତି ଆଗରେ ଚାଷୀଙ୍କ ହଙ୍ଗାମା । ସାର ବସ୍ତାକ ପାଇଁ ଚାଷୀ ବାରମ୍ବାର ପ୍ୟାକ୍ସକୁ ଧାଇଁ ନୟାନ୍ତ ହେଲେଣି ହେଲେ ସାର ମିଳିଲାନି । ସାର ଅଭାବରୁ ନିଶ୍ଚିନ୍ତକୋଇଲି ବ୍ଲକରେ ହେକ୍ଟର ହେକ୍ଟର ଧାନ ଜମି ହଳଦିଆ ପଡିଗଲାଣି । ବାଧ୍ୟ ହୋଇ ବନ୍ଧକାଟିଆ ସେବା ସମବାୟ ସମିତି ଆଗରେ ଚାଷୀ ନାରାବାଜି କରିଛନ୍ତି । ସରକାରଙ୍କ ଚାଷୀ ମାରଣା ନୀତିକୁ ଚାଷୀ ତୀବ୍ର ବିରୋଧ କରିଛନ୍ତି । ଅନ୍ୟପଟେ ସାର ଅଭାବ ଘଟଣାକୁ ସ୍ଵୀକାର କରିଛନ୍ତି ସମବାୟ ସମିତିର ସଂପାଦକ ।
ସେପଟେ ସାର ପାଇଁ ଅନୁଗୁଳରେ ରାତି ଉଜାଗର ଚାଷୀ । ବନ୍ତଳା ଓ ଖାଲଗାଁରେ ଚାଷୀ ରାତି ଅଧରୁ ଲମ୍ବା ଲାଇନ ଲଗାଇଥିଲେ । ଖାଲଗାଁ ସେବା ସମବାୟ ସମିତିକୁ ୨୨୫ ବସ୍ତା ୟୁରିଆ ସାର ଆସିଥିବା ଖବର ପାଇ ରାତି ଅଧରୁ ୫ ଶହରୁ ଉର୍ଦ୍ଧ୍ଵ ଚାଷୀ ଆଧାରକାର୍ଡ ରଖି ଲାଇନ ଲଗାଇଥିଲେ । ହେଲେ ଅଳ୍ପ ସାର ଥିବାରୁ ଅନେକ ନିରାଶ ହୋଇ ଫେରିଛନ୍ତି । ରାଜ୍ୟରେ କେବେ ସାର ସଙ୍କଟ ଦୂର ହେବ ଚାଷୀ ସୁରୁଖୁରରେ ଚାଷ କରିପାରିବେ ତାକୁ ହିଁ ଅପେକ୍ଷା ।